ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିଥିବା ଓଡ଼ିଆ ଫିଲ୍ମ ‘ପୁଷ୍କରା’ ଦର୍ଶକଙ୍କୁ ତ ଆକୃଷ୍ଟ କରୁଛି, ବୁଦ୍ଧିଜୀବୀଙ୍କ ଚର୍ଚ୍ଚାରେ ମଧ୍ୟ ରହିଛି। ଲେଖକ ଶଙ୍କର ତ୍ରିପାଠୀଙ୍କ ଚର୍ଚ୍ଚିତ ଉପନ୍ୟାସ ‘ନାଦବିନ୍ଦୁ’ର ଆଧାରରେ ତିଆରି ହୋଇଥିବା ଏ ଫିଲ୍ମ ପୁଣିଥରେ ଓଡ଼ିଆ ସିନେମା ଓ ସାହିତ୍ୟର ହଜି ଯାଇଥିବା ସଂପର୍କକୁ ଫେରାଇ ଆଣିଛି ବୋଲି କୁହା ଯାଇପାରେ। ଅବଶ୍ୟ ଏକଥା ସତ ଯେ କଳାତ୍ମକ ସିନେମା ଏଯାଏ ଓଡ଼ିଆ ସାହିତ୍ୟ ସହିତ ଖିଅଟିକୁ ବଞ୍ଚାଇ ରଖିଛି। କିନ୍ତୁ ନାମକରା ତାରକା ଥିବା ବା ବ୍ୟାବସାୟିକ ସିନେମାରେ ତାହା ଅନେକ ଦିନରୁ ହଜି ଯାଇଥିଲା।‘ପୁଷ୍କରା’ରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ, ସୁପ୍ରିୟା ଓ ଚୌଧୁରୀ ବିକାଶ ଦାସ ଅଭିନୟ କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାସ। କାହାଣୀକାର ସ୍ବୟଂ ଏହାର ସଂଳାପ ଲେଖିଛନ୍ତି।
ବର୍ତ୍ତମାନ ପ୍ରେକ୍ଷାଳୟରେ ଚାଲିଥିବା ‘ପୁଷ୍କରା’ର ପ୍ରମୋସନ୍ ପାଇଁ ଲାଗିପଡ଼ିଛନ୍ତି ନାୟକ ସବ୍ୟସାଚୀ। ସେ ଚଳଚ୍ଚିତ୍ର ଦେଖିବାକୁ ଆସିଥିବା ବିଭିନ୍ନ ବର୍ଗର ଦର୍ଶକଙ୍କ ସହ ମିଶିବା ସହ ସେମାନଙ୍କ ସହ ସମୟ ଅତିବାହିତ କରୁଛନ୍ତି। ଏହା ମଧ୍ୟ ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରୁଥିବା ଲକ୍ଷ୍ୟ କରାଯାଇଛି। ଶନିବାର କର୍କଟ ସହ ଲଢ଼ୁଥିବା କିଛି ବ୍ୟକ୍ତି କଟକର ସଙ୍ଗମ୍ ସିନେମାରେ ‘ପୁଷ୍କରା’ ଦେଖିଥବା ବେଳେ ସେମାନଙ୍କୁ ହଲକୁ ଯାଇ ଭେଟିଥିଲେ ସବ୍ୟସାଚୀ।