ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ସାରା ଓଡ଼ିଶାବାସୀଙ୍କ ତରଫରୁ ଓଡ଼ିଶା ଓ ମନ୍ଦିମାଳିନୀ ସହର ଭୁବନେଶ୍ବରକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି। ଆପଣମାନେ ସାଂସ୍କୃତିକ ଆମ୍ବାସାଡର। ଆପଣମାନେ ଆମର ଗର୍ବ। ଆମ ଭିତରେ ଥିବା ଭାଇଚାରା ଅନନ୍ୟ, ଓଡ଼ିଶାର ସଂସ୍କୃତି ମହାନ୍। ଆଜି ଓଡ଼ିଶା ବିଶ୍ବରେ ଖଣି, ଇସ୍ପାତ, ଆଲୁମିନୟମ୍, ସ୍ବାସ୍ଥ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷା, ପର୍ଯ୍ୟଟନ କ୍ଷେତ୍ରରେ ବି ବେଶ୍ ଜଣାଶୁଣା। ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମେଳନର ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ଓଡ଼ିଶାର ପୁରୀ, କୋଣାର୍କ, ଚିଲିକା ଓ ଧଉଳି ଆଦି ପର୍ଯ୍ୟଟନସ୍ଥଳୀ ଭ୍ରମଣ କରି ଆନନ୍ଦ ପାଇବେ। ଏହାଛଡ଼ା ଏଠାକାର ଡାଲମା, ରସଗୋଲା, ଛେନାପୋଡ଼ର ମଜା ଉଠାଇବେ। ଏହି ତିନିଦିନ ଆପଣମାନଙ୍କ ଜୀବନର ସ୍ମରଣୀୟ ହୋଇ ରହିବ।