ପୁଣିଥରେ କ୍ଷମା ପାର୍ଥନା କଲା ପତଞ୍ଜଳି। ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ (ଏମଡି) ବାଲକ୍ରିଷ୍ଣା ପୁଣିଥରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଛନ୍ତି। ପତଞ୍ଜଳି ତରଫରୁ ବିନା କୌଣସି ସର୍ତ୍ତରେ କ୍ଷମା ମାଗିବା କଥା ଏକ ସମ୍ବାଦପତ୍ରରେ ପ୍ରକାଶ ପାଇଛି।
ଖବର ଅନୁସାରେ, ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆମେ କମ୍ପାନୀ ଏବଂ ବ୍ୟକ୍ତିଗତ ଭାବରେ ବିନା କୌଣସି ସର୍ତ୍ତରେ ପୁଣିଥରେ କ୍ଷମା ପ୍ରାର୍ଥନା କରୁଛୁ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆମେ ଏହା କରୁଛୁ ବୋଲି ସମ୍ବାଦପତ୍ରରେ ଉଲ୍ଲେଖ ରହିଛି।
ଏଥିସହ ଆହୁରି କୁହାଯାଇଛି ଯେ, ୨୨ ନଭେମ୍ବର ୨୦୨୩ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ। ଆମର ବିଜ୍ଞାପନ ପ୍ରକାଶନରେ ହୋଇଥିବା ଭୁଲ ପାଇଁ ଆମେ କ୍ଷମା ପାର୍ଥନା କରୁଛୁ। ଆମର କଥା ଦେଉଛୁ ଯେ ଏପରି ଭୁଲ ଆଉ କେବେ ପୁନରାବୃତ୍ତି ହେବ ନାହିଁ। ଭବିଷ୍ୟତରେ ଏହା ପୁଣି କେବେ ଘଟିବ ନାହିଁ ବୋଲି ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣା କହିଛନ୍ତି।