ଆଉ କିଛି ଦିନ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି। ଶୁକ୍ରବାର ଭୋର ୬ଟାରୁ ସଂଶୋଧିତ ଦର ଲାଗୁ ହେବ। ତେଲ ଦର କମିଥିବା ବିଷୟରେ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତେଲ ଦର ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ପ୍ରମାଣିତ କରିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସୁବିଧା ଓ ମଙ୍ଗଳ ତାଙ୍କର ମୂଳ ଲକ୍ଷ୍ୟ। ଆନ୍ତର୍ଜାତିକ ବଜାରରେ ତୈଳ ସଙ୍କଟ ସତ୍ତ୍ବେ ଗତ ଅଢ଼େଇ ବର୍ଷ ହେବ ଭାରତରେ ପେଟ୍ରୋଲ୍ ଦାମ୍ ୪.୬୫ ପ୍ରତିଶତ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଶେଷ ଥର ପାଇଁ ୨୦୨୨ ମେ’ରେ ତେଲ ଦରରେ ପରିବର୍ତ୍ତନ ଘଟିଥିଲା। ତା’ପରେ ଦାମ୍ ସ୍ଥିର ରହିଥିଲା। ଦୀର୍ଘଦିନ ପରେ ଗ୍ରାହକମାନଙ୍କୁ ତେଲ ଦରରୁ ଆଶ୍ବସ୍ତି ମିଳିଛି।
ହ୍ରାସ ଘୋଷଣା ପରେ ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର ପିଛା ଦାମ୍ ପାଖାପାଖି ୨ ଟଙ୍କା ୧୩ ପଇସା ହ୍ରାସ ପାଇ ୧୦୧ ଟଙ୍କା ୬ ପଇସା ହୋଇଛି। ଶୁକ୍ରବାରଠାରୁ ଏହି ଦର ଲାଗୁ ହେବ। ପୂର୍ବରୁ ଲୋକମାନେ ଲିଟର ପିଛା ୧୦୩ ଟଙ୍କା ୧୯ ପଇସାରେ ପେଟ୍ରୋଲ୍ କିଣୁଥିଲେ। ସେହିପରି ଡିଜେଲ୍ ମୂଲ୍ୟରେ ପ୍ରାୟ ୨ ଟଙ୍କା ୧୨ ପଇସା ହ୍ରାସ ଘଟିବ। ପୂର୍ବରୁ ଡିଜେଲ୍ ୯୪ ଟଙ୍କା ୭୬ ପଇସାରେ ବିକ୍ରି ହେଉଥିଲା। ଏହି ଦାମ୍ ୯୨ ଟଙ୍କା ୬୪କୁ ହ୍ରାସ ପାଇଛି। ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ରେ ୧୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଦେଶରେ ସିଏନ୍ଜି ଦାମ୍ କିଗ୍ରା ପିଛା ପାଖାପାଖି ଅଢ଼େଇ ଟଙ୍କା ହ୍ରାସ ପାଇଥିଲା। ଆସନ୍ତା ମାସରୁ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ତାରିଖ ଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି।