କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମ୍ବଲପୁରରେ ବସନ୍ତପୁରଠାରେ ନବନିର୍ମିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବେ ବୋଲି ଜଣାପଡିଛି ।ଏହି କାର୍ଯ୍ୟକ୍ରମରେ ୪ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ରହିଥିବା ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସ୍ୱାଲ ସୂଚନା ଦେଇଛନ୍ତି । ତେବେ ଏହା ପରେ ଏମସିଏଲର ୪ଟି ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ଏମସିଏଲ ମହାପ୍ରବନ୍ଧକ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସଂପୃକ୍ତ କର୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ । ୩ ତାରିଖ ଅପରାହ୍ଣରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଂଚି ଆଇଆଇଏମ୍ କ୍ୟାମ୍ପସରେ ପହଂଚିବେ । ତେବେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର, ହେଲିପ୍ୟାଡ୍ ସ୍ଥଳରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ ନାହିଁ ।