ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ ହ୍ୟାଣ୍ଡ୍ସ ସେକ୍ କରିଥିବା ଦେଖିବାକୁ ମିଳିଛି। ବାଚସ୍ପତି ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସେପଟେ ରାହୁଲ ଗାନ୍ଧି ବିରୋଧୀ ମେଣ୍ଟ ଦଳର ନେତା ହେବାକୁ ଯାଉଛନ୍ତି। ମଙ୍ଗଳବାର ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ ପରେ ଏନେଇ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଅବଗତ କରାଯାଇଥିବା କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି। ଏପରି ହେଲେ ସେ ଗାନ୍ଧି ପରିବାରର ତୃତୀୟ ସଦସ୍ୟ ହେବେ। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ତାଙ୍କ ମାଆ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି ବିରୋଧୀ ଦଳ ନେତା ରହିଥିଲ ଏବଂ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ତାଙ୍କ ବାପା ରାଜୀବ ଗାନ୍ଧି ଏହି ଦାୟିତ୍ୱ ତୁଲାଇଥିଲେ।