ଦୁଇଦିନିଆ ରୁଷ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍କୋସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ ଯୁଦ୍ଧ ଦ୍ବାରା କୌଣସି ସମାଧାନ ମିଳିପାରିବ ନାହିଁ। ଯୁଦ୍ଧରେ ଶିଶୁମାନଙ୍କ ମୃତ୍ୟୁ ହୃଦୟ ବିଦାରକ। ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ବାଟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଆଲୋଚନା ଅବସରରେ କହିଥିଲେ। ମୋଦୀଙ୍କୁ ତାଙ୍କ ତୃତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇ ପୁଟିନ କହିଛନ୍ତି ଯେ ତାଙ୍କ ପୁନଃନିର୍ବାଚିତ ହେବା ଭାରତର ସ୍ୱାର୍ଥକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ତାଙ୍କ ପାଇଁ ଅର୍ଥନୀତି ଦୃଷ୍ଟିରୁ ଭାରତ ଏବେ ବିଶ୍ବସ୍ତରରେ ତୃତୀୟ ସ୍ଥାନରେ ରହିଛି ବୋଲି ପୁଟିନ କହିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏହା ହେଉଛି ୧୬ତମ ଭେଟ।