ମୋଦୀ କରିବେ ତପସ୍ୟା । ଏଥର ପାହାଡ କିମ୍ବା ଗୁମ୍ଫାରେ ଯାଇ ତପସ୍ୟା କରିବେନି । ବରଂ ଚଳିତ ଥର କନ୍ୟାକୁମାରୀରେ ଯାଇ ଧ୍ୟାନ କରିବେ ମୋଦୀ । ମେ ୩୦ରେ ସରିଯିବ ସମସ୍ତ ନିର୍ବାଚନୀ ପ୍ରଚାର । ଆଉ ଦୀର୍ଘ ଦିନ ଧରି ଚାଲିଥିବା ନେତା ମନ୍ତ୍ରୀଙ୍କର ଜୋରସୋର ପ୍ରଚାରର ଫଳ ଜୁନ୍ ୪ ତାରିଖରେ ବାହାରିବ । ତେଣୁକରି ଏହି ବିରତି ସମୟ ବ୍ୟବଧାନରେ ନରେନ୍ଦ୍ର ମୋଦୀ କନ୍ୟାକୁମାରୀ ଯାତ୍ରା କରିବେ । ସେଠାରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ଶ୍ରଦ୍ଧାଞ୍ଜଳି ସ୍ମାରକୀ ରକ୍ ମେମୋରିଆଲ୍ ରେ ବସି ଧ୍ୟାନ କରିବେ ମୋଦୀ । ମଙ୍ଗଳବାର ବିଜେପି ନେତାମାନେ କହିଛନ୍ତି ମୋଦୀ ମେ’ ୩୦ ତାରିଖ ସନ୍ଧ୍ୟା ଠାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ ମଣ୍ଡପରେ ଧ୍ୟାନ କରିବେ। ବିଶ୍ୱାସ କରାଯାଏ ଯେ ଏଠାରେ ବିବେକାନନ୍ଦ ଭାରତ’ମାତାଙ୍କ ବିଷୟରେ ଏକ ଐଶ୍ୱରୀୟ ଦର୍ଶନ ପାଇଥିଲେ। ୨୦୧୯ ନିର୍ବାଚନ ପ୍ରଚାର ପରେ କେଦାରନାଥ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ମଧ୍ୟ ଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କନ୍ୟାକୁମାରୀକୁ ତାଙ୍କ ଆଧ୍ୟାତ୍ମିକ ରହଣି ସ୍ଥାନ ଭାବରେ ଚୟନ କରିବା ବିବେକାନନ୍ଦଙ୍କ ଦେଶ ପାଇଁ ଦୂରଦୃଷ୍ଟି ହାସଲ କରିବାକୁ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ବିଜେପି ନେତାମାନେ କହିଛନ୍ତି ଏହା ହେଉଛି ପୂର୍ବ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳ। ଏହା ମଧ୍ୟ ଭାରତ ମହାସାଗର, ବଙ୍ଗୋପସାଗର ଏବଂ ଆରବ ସାଗରର ମିଳନ ସ୍ଥଳ। ଜଣେ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀ ଗସ୍ତକରି ଜାତୀୟ ଏକତାର ବାର୍ତ୍ତା ଦେଉଛନ୍ତି। ଏହା ତାମିଲନାଡୁ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ଏବଂ ସ୍ନେହକୁ ମଧ୍ୟ ଦର୍ଶାଉଛି।