ମେ ୧୩ ତାରିଖ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ। ଉକ୍ତ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ଗ୍ରହଣ କରାଯିବ। ସେଥିପାଇଁ ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥ୍ ମୁହାଁ ପୋଲିଂ ପାର୍ଟି। ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଶନିବାର ସନ୍ଧ୍ୟା ୫ଟା’ରେ ପ୍ରଚାର ସରିଛି। ଭୋଟ ଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସର୍ବମୋଟ ୭ ହଜାର ୩୦୩ଟି ମତାଦନ କେନ୍ଦ୍ର(ବୁଥ୍) କରାଯାଇଥିବାବେଳେ ଏଥିରୁ ୬୦% ବୁଥ୍ରେ ୱେବକାଷ୍ଟିଂ କରାଯିବ। ବୁଥ୍ରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ମତଦାନ ଗ୍ରହଣ କରିବା ପାଇଁ ୧୪ଟି ଅତିରିକ୍ତ ଭୋଟଗ୍ରହଣ କେନ୍ଦ୍ର ହୋଇଛି।