ପୋଲ ଭୁଶୁଡି ପଡିବାରେ ବିହାର ୧ ନମ୍ବର। ୨୦୨୪ରେ ୧୪ଟିରୁ ଅଧିକ ପୋଲ ଭୁଶୁଡିବା ପରେ ଆଜି ଗତ ୯ ବର୍ଷ ଧରି ନିର୍ମାଣାଧୀନ ଥିବା ଆଉ ଏକ ପୋଲ ଭୁଶୁଡି ପଡିଛି। ତେବେ ପରିସ୍ଥିତି ଏମିତି ଯେ ଆଜି ଭୁଶୁଡି ପଡିଥିବା ପୋଲଟି ପୂର୍ବରୁ ୨ ଥର ଭୁଶୁଡି ସାରିଛି। ବିହାରର ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜ-ଆଗୁୱାନୀ ଗଙ୍ଗା ନଦୀ ପଥରେ ନିର୍ମାଣାଧୀନ ୪ ଲେନ୍ ବିଶିଷ୍ଟ ପୋଲର ଏକ ଅଂଶ ଶନିବାର ତୃତୀୟ ଥର ପାଇଁ ଗଙ୍ଗା ନଦୀରେ ଭୁଶୁଡ଼ି ପଡ଼ିଛି। ସୁଲତାନଗଞ୍ଜରୁ ଭାଗଲପୁରର ଅଗୱାନୀ ଘାଟ ପର୍ଯ୍ୟନ୍ତ ଥିବା ସ୍ତମ୍ଭ (ପିଲାର) ସଂଖ୍ୟା ୯ ଓ ୧୦ ମଧ୍ୟରେ ଥିବା ଅଂଶ ନଦୀରେ ବୁଡ଼ି ଯାଇଥିବାରୁ ପ୍ରକଳ୍ପର ଢାଞ୍ଚାଗତ ନିର୍ମାଣକୁ ନେଇ ଚିନ୍ତା ବଢ଼ିଛି। ଏସପି ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀକୁ ଗଙ୍ଗା ନଦୀ ଉପରେ ଆଗୁୱାନୀ-ସୁଲତାନଗଞ୍ଜ ପୋଲ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ୩ ଥର ଭୁଶୁଡ଼ି ପଡ଼ିଥିବା ଏହି ପୋଲ ନିର୍ମାଣ ପାଇଁ ୧ ହଜାର ୭୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।ଏସପି ସିଙ୍ଗଲା କମ୍ପାନୀ ଦ୍ୱାରା ନିର୍ମିତ ଏକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ମହାସେତୁ ଖଗରିଆ ଏବଂ ଭାଗଲପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ। ତେବେ ବାରମ୍ବାର ଭୁଶୁଡ଼ି ପଡ଼ିବାରୁ ନିର୍ମାଣ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗଙ୍ଗା ନଦୀରେ ଚାଲିଥିବା ବନ୍ୟା ପରିସ୍ଥିତି ଯୋଗୁଁ ପୋଲ ନିର୍ମାଣ କାର୍ଯ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଥିଲା, ଯାହା ନଦୀ ଉପରେ ନିର୍ମାଣର ଚ୍ୟାଲେଞ୍ଜକୁ ବଢାଇ ଦେଇଥିଲା।