ଆଳୁ ଫେରାଇ ନେଇଗଲେ ମମତା । ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁନି ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ଥିବା ଶହ ଶହ ଆଳୁ ଟ୍ରକ ଫେରି ଯାଇଛି। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଟ୍ରକ୍ ଫେରି ଯାଇଛି। ଆଉ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ନବୀନ ଚିଠିରେ ଲେଖିଛନ୍ତି ଯେ ଓଡିଶାବାସୀଙ୍କ ପାଇଁ ଆଳୁ ଅତ୍ୟାବଶ୍ୟକ ଦ୍ରବ୍ୟ | କମ ବର୍ଷା ଯୋଗୁଁ ବଜାରକୁ ଅଳ୍ପ ଆଳୁ ହିଁ ଆସିପାରିଛି | ଯାହାଦ୍ୱାରା ମୂଲ୍ୟ ବଢିଛି | ଏହି ମୂଲ୍ୟ ବଢିବା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେବେ | ଓଡିଶା-ପଶ୍ଚିମବଙ୍ଗ ସୀମାରୁ ଟ୍ରକ ଫେରିଯାଉଥିବାର ଜାଣିବାକୁ ପାଇଲି |ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୃଢ ସଂସ୍କୁତିକ ବନ୍ଧନ ଅଛି ଓ ଆମେ ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ |
ତେଣୁ ଆପଣ ଏ ନେଇ ପଦକ୍ଷେପ ନିଅନ୍ତୁ ଓ କିଭଳି ଆଳୁ ଯୋଗାଣ ହୋଇପାରିବ ସେଦିଗରେ ଦୃଷ୍ଟି ଦିଅନ୍ତୁ | ଉଲ୍ଲେଖ ଥାଉ କି ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ରାଜ୍ୟରେ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କିଲୋଗ୍ରାମ ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ କୌଣସି ଦୋକାନୀ ବିକ୍ରି କରିପାରିବେନି ବୋଲି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ସେଥିପ୍ରତି କାହାର ନଜର ନାହିଁ। ସବୁଆଡେ ଆଳୁ ଚଢା ଦରରେ ବିକ୍ରି ହେଉଛି।