ଲାଣ୍ଡର୍ ‘ବିକ୍ରମ’ର ରାମ୍ପ୍ ବାଟେ ବାହାରକୁ ଆସି ରୋଭର୍ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଥିବା କଥା ‘ଇସ୍ରୋ’ ସୂଚନା ଦେଇଛି। ଚନ୍ଦ୍ର ପାଇଁ, ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍ ଲ୍ୟାଣ୍ଡର୍ରୁ ଗଡ଼ି ଗଡ଼ି ବାହାରକୁ ଯାଇଛି। ଭାରତ ଚନ୍ଦ୍ର ଉପରେ ଚାଲବୁଲ କରୁଛି!ବୁଧବାର ସନ୍ଧ୍ୟା ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଏହା ହେଉଛି ‘ଚନ୍ଦ୍ରଯାନ-୩’ର ପ୍ରଥମ ପରବର୍ତ୍ତୀ ଘଟଣା। ଚନ୍ଦ୍ରୟାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଥିଲା । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ‘ବିକ୍ରମ’ର ଅବତରଣ, ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ‘ରୋଭର୍’ର ବିଚରଣ ଓ ‘ବିକ୍ରମ’ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା। ଏବେ ‘ପ୍ରଜ୍ଞାନ’ର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ, ବିଭିନ୍ନ ପରୀକ୍ଷା ନୀରିକ୍ଷା କରିବ ଓ ସେସବୁ ତଥ୍ୟ ଇସ୍ରୋକୁ ପଠାଇବ। ଚନ୍ଦ୍ରର ବାୟୁମଣ୍ଡଳରେ କ’ଣ କ’ଣ ଉପାଦାନ ଅଛି, ସେସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ‘ବିକ୍ରମ’ର ପ୍ଲେଲୋଡ୍। ଏହାସହ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ। ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ। ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର।
ପ୍ରାୟ ୧୪ ଦିନ ଧରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ‘ବିକ୍ରମ’। ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ। ରୋଭର୍ ‘ପ୍ରଜ୍ଞାନ’ କେବଳ ଲ୍ୟାଣ୍ଡର ‘ବିକ୍ରମ’ ସହ ହିଁ ଯୋଗାଯୋଗ କରିପାରିବ। ଆଗରୁ ଯାଇଥିବା ଚନ୍ଦ୍ରୟାନ-୨ ଜରୁରୀ ସମୟରେ ଇସ୍ରୋ ସହିତ ଯୋଗାଯୋଗ କରିପାରିବ।