ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ହସ୍ପିଟାଲରୁ ଆଜି ଡିସ୍ଚାର୍ଜ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟ ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡିର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବରରୁ ବରଗଡ଼କୁ ଫେରୁଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ ରେଢ଼ାଖୋଲ ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ କାନରେ ଗଭୀର ଆଘାତ ଲାଗିଥିଲା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ଦୁର୍ଘଟଣାର ୧୭ ଦିନ ପରେ ଡାକ୍ତରଖାନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଆଜି ପ୍ରସନ୍ନ ଆଚାର୍ଯ୍ୟ ଘରକୁ ଫେରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଶ୍ରୀ ଆଚାର୍ଯ୍ୟ ନିଜର ପୁରୁଣା ନିର୍ବାଚନମଣ୍ଡଳୀ ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଲାଗିଛନ୍ତି ।ପ୍ରସନ୍ନ ଆଜି ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।