ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି।
ପୂର୍ବରୁ ମଧ୍ୟ ଅନେକ ସମୟରେ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି। ରାଜନୈତିକ ଦଳ ଗୁଡିକ ଏହି ପ୍ରସଙ୍ଗ ଉପରେ ରାଜନୀତି କରିବା ବଦଳରେ ସରକାରଙ୍କ ସହ ମିଶି ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ରାଷ୍ଟ୍ରପତି ଅନୁରୋଧ କରିଛନ୍ତି। ଏହାସହ ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାର ସମସ୍ତ କ୍ଷେତ୍ରକୁ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଗତ ୧୦ ବର୍ଷ ହେବ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଜୋର ଦେଉଛନ୍ତି ସରକାର। ଏବେ ସରକାର ଭାରତକୁ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଆଗକୁ ନେବାକୁ ଅଗ୍ରସର ହେଉଛନ୍ତି। ଚାଷୀଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାକୁ ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି କରିଛନ୍ତି ସରକାର। ସରକାରୀ ଯୋଜନାର ସମସ୍ତ ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି।