ମୟୁରଭଞ୍ଜ : ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ। ଜନ୍ମମାଟିରେ ଗୁରୁବାର ପହଞ୍ଚି ସାରଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୁରଭଞ୍ଜ ଗସ୍ତ। ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଛି ସ୍ୱାଗତ ସମ୍ବର୍ଦ୍ଧନା। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି। ବାଦାମପାହାଡ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି ରାଷ୍ଟ୍ରପତି। ହେଲିପ୍ୟାଡରୁ ଓହ୍ଲାଇବା ପରେ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି।
ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ରାଷ୍ଟ୍ରପତି ?
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ପାହାଡ଼ପୁରଠୁ ଆରମ୍ଭ କରି ରାଇରଙ୍ଗପୁର ଯାଏ ଆଦିବାସୀ ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି। କେଉଁଠି ନାଚ ଗୀତ ତ ଆଉ କେଉଁଠି ଢୋଲ ବାଦ୍ୟର ତାଳେ ତାଳେ ଝୁମିଥିଲେ ସମସ୍ତେ। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।ଆଜି ମଧ୍ୟାହ୍ନ ଭୋଜନରେ ପଖାଳ, ବଡ଼ି ଚୁରା, ଶାଗ ଭଜା, ଆଳୁ ଭଜା, ସମେତ ଯାହା ଯାହା ରାଷ୍ଟ୍ରପତିଙ୍କ ପସନ୍ଦ ସେସବୁ ମେନ୍ୟୁରେ ରହିଥିଲା।
ସେ ସିନା ରାଷ୍ଟ୍ରପତି କିନ୍ତୁ ପ୍ରଥମେ ଏ ମାଟିର ଝିଅ। ଏମାଟି ତାଙ୍କୁ ସବୁ କିଛି ଦେଇଛି। ନାଁ…ସମ୍ମାନ…ପରିଚୟ, ସବୁକିଛି। ତେଣୁ ଆଜି ରାଷ୍ଟ୍ରପତି ହେବା ପରେ ବି ସେ ସେମିତି ହିଁ ବ୍ୟବହାର କରିଥିଲେ। ହେଲିକପ୍ଟରରୁ ନିଜ ଜନ୍ମମାଟିରେ ଓହ୍ଲାଇଥିଲେ ରାଷ୍ଟ୍ରପତି। ତାଙ୍କୁ ଦେଖିବାକୁ ଶତାଧିକ ଲୋକ ଅପେକ୍ଷା କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସବୁ ଯେପରି ବୁଝି ପାରିଥିଲେ। କାରକେଡ୍ରୁ ହଠାତ୍ ଓହ୍ଲାଇ ପଡ଼ିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ପହଞ୍ଚିଥିଲୋ ଯେମିତି ପୁରୀ ବଡ଼ଦାଣ୍ଡରେ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଥିଲେ, ଠିକ୍ ସେହିପରି ଆଜି ବି ଚାଲି ଥିଲେ ରାଷ୍ଟ୍ରପତି।