ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ସେ ଭୋଟ ଦେଇଛନ୍ତି। ସେଠାରେ ଥିବା ବୁଥରେ ସକାଳୁ ସକାଳୁ ଯାଇ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । କିଛି ଦୂରରୁ ଅମିତ ସାହାଙ୍କ ସହ ମିଶି ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଖୁବ କଡ଼ାକଡ଼ି କରାଯାଇଥିଲା । ତେବେ ଗଣମାଧ୍ୟମଙ୍କ ସହ ଆଲୋଚନା ବେଳେ ଆଜି ମୋଦି ସେମାନଙ୍କ ପ୍ରତି ଚିନ୍ତା ବ୍ୟକ୍ତ କରିଥିଲେ। ନିର୍ବାଚନ ଖବର କଭରେଜ ବେଳେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ଉପସ୍ଥିତ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ ମୋଦି । ପ୍ରଚରୁ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦେଇଥିଲେ। ମୋଦି କହିଥିଲେ ଯେ, ”ସମୟ ଆଗରୁ ନିଜକୁ ତତ୍ପର ରଖୁଛନ୍ତି ସାମ୍ବାଦିକମାନେ। ହେଲେ ତା ଭିତରେ ବି ନିଜ ସ୍ୱାର୍ଥ ଦେଖି କାମ କରିବା ଉଚିତ। ଏହିଭଳି ଭୀଷଣ ରୌଦ୍ର ତାପରେ କିଭଳି ରିପୋଟିଙ୍ଗ କରିବା କଷ୍ଟ ହଉଥିବ। ତାହା ମୁଁ ବୁଝିପାରୁଛି। ତେଣୁ ସବୁ କରନ୍ତୁ ହେଲେ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ରଖୀ କରନ୍ତୁ।” ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦେଖିବା ଲାଗି ଅନେକ ଭୋଟର ଅପେକ୍ଷାରତ ଥିଲେ । ମତଦାନ ପରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଅପେକ୍ଷା କରି ରହିଥିବା କିଛି ସାଧାରଣ ଜନତା ଓ ଛୋଟ ପିଲାଙ୍କୁ ନିଜର ଅଟୋଗ୍ରାଫ ମଧ୍ୟ ଦେଇଥିଲେ । ତାସହ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରମାନଙ୍କୁ ମତଦାନ କରିବାକୁ ଆହ୍ୱାନ ଦେଇଥିଲେ।