ସୂର୍ଯ୍ୟ ମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ବପ୍ନ ସାକାର ହେବ । ପୁରୀ-କୋଣାର୍କ ମଧ୍ୟରେ ଗଡିବ ଟ୍ରେନ୍ । ଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପ । ମଙ୍ଗଳବାର ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କି.ମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରେଳମନ୍ତ୍ରୀ କହିଛନ୍ତି ।
ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍ ଚାଲିବାର ବ୍ୟବସ୍ଥା ହେବ । ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ରହି ସବୁ ବାହାର ଦୃଶ୍ୟ ଦେଖିପାରିବେ । ଟ୍ରେନ୍ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକ ମଧ୍ୟ ବ୍ୟବସ୍ଥା ରହିବ ।ଏହି ନୂଆ ରେଳ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ହେବ । ଜମି ଅଧିଗ୍ରହଣ ପରେ ମଞ୍ଜୁର ପ୍ରୋଜେକ୍ଟ କାମ ତ୍ବରାନ୍ବିତ ହେବ । ପ୍ରୋଜେକ୍ଟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ।