କଂଗ୍ରେସ ଆକାଉଣ୍ଟ ଫ୍ରିଜ୍ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ରାହୁଲ କହିଛନ୍ତି ଯେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। “ଏହା କଂଗ୍ରେସ ଦଳ ଉପରେ ଏକ ଅପରାଧିକ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅପରାଧିକ କାର୍ଯ୍ୟ। ତେଣୁ, ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ବୋଲି ଧାରଣା ମିଥ୍ୟା ଅଟେ। ଆଜି ଭାରତରେ ଗଣତନ୍ତ୍ର ନାହିଁ।’’ ସେ କହିଛନ୍ତି ଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଅଛି? କୋର୍ଟ, ନିର୍ବାଚନ ଆୟୋଗ ସବୁ କିଛି ଦେଖି ବି କିଛି କହୁନାହାଁନ୍ତି। ଭାରତରେ ଲୋକତନ୍ତ୍ର ରହିଥିବା କଥା ମିଥ୍ୟା। ନିର୍ବାଚନ ପୂର୍ବରୁ ଗଣତନ୍ତ୍ର ଉପରେ ଏହା ଆକ୍ରମଣ । ଭାରତର ସବୁଠୁ ବଡ ପାର୍ଟିର ଆକାଉଣ୍ଟ ଫ୍ରିଜ୍ କରାଯାଇଛି। କଂଗ୍ରେସ ପାଖରେ ପ୍ରଚାର କରିବାକୁ ଟଙ୍କା ନାହିଁ। ଏମିତିକି ଟିକେଟ କିଣିବାକୁ ଦଳ ପାଖରେ ଟଙ୍କା ନଥିବା ରାହୁଲ କହିଛନ୍ତି। ଦେଶର ସବୁ ଲୋକ ଜାଣିଛନ୍ତି ଯେତେବେଳେ କାହାର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡକୁ ଫ୍ରିଜ୍ କରାଯାଏ ସେତେବେଳେ କେତେ ଅସୁବିଧା ହୋଇଥାଏ। ଯଦି ଏପରି ଘଟଣା ଗୋଟିଏ ପରିବାରରେ ହୁଏ ତେବେ କେତେ ଅସୁବିଧା ଭୋଗିବାକୁ ପଡିଥାଏ। ଆମ ସହ ଯାହା କରାଯାଉଛି ତାହା ଫଳରେ ଆମେ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ଦେଇପାରୁନୁ।