ଓଡ଼ିଶାରେ ଲଢ଼େଇ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି କଂଗ୍ରେସର ରଣନୀତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଓଡ଼ିଶା କଂଗ୍ରେସ ନେତା ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ।ଓଡିଶାରେ ୯୦ ଆସନ ଜିତିବାକୁ ରଣନୀତି ହୋଇଛି । ତେବେ ରଣନୀତି ନେଇ ନେତା ମୁହଁ ଖୋଲୁନଥିଲେ ମଧ୍ୟ, କଂଗ୍ରେସ ମହଲର ସୂଚନା ବେରୋଜଗାର, ନାରୀ ନିର୍ଯ୍ୟାତନା, ଦୁର୍ନୀତି ସହ ବିଜେଡି-ବିଜେପି ସଲାସୁତୁରା ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଏପରିକି ପଡୋଶୀ ରାଜ୍ୟ ତେଲେଙ୍ଗାନାର ସଫଳତା ପରେ ତେଲେଙ୍ଗାନା ମୋଡେଲ ଆପଣେଇପାରେ ଦଳ । ରାଜ୍ୟରେ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସରେ ନୂଆ ଜୋସ ଭରିବାକୁ, ନୂଆ ରାସ୍ତା ଦେଖାଇବାକୁ ଜାନୁଆରିରେ ଆସୁଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଯାତ୍ରା ମଣିପୁରରୁ ଆରମ୍ଭ କରି ମୁମ୍ବାଇରେ ଶେଷ କରିବେ। ୬୨୦୦କିମିର ଏହି ଯାତ୍ରା ଆସନ୍ତା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା। ଏହି ଯାତ୍ରାରେ ୧୪ରାଜ୍ୟର ୮୫ଟି ଜିଲ୍ଲା ବୁଲିବେ ରାହୁଲ ଗାନ୍ଧୀ। ଏହି ଯାତ୍ରାରେ ସେ ଚାଲିବା ସହ ବସରେ ବି ଯାତ୍ରା କରିବେ।ରାହୁଲ ଗାନ୍ଧୀ ଆର୍ଥିକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଏହି ତିନି ପ୍ରସଙ୍ଗ ନେଇ ଲୋକଙ୍କୁ ପାଖକୁ ଯିବେ। ଭାରତ ନ୍ୟାୟ ଯାତ୍ରାରେ ରାହୁଲ ମଣିପୁର, ନାଗଲାଣ୍ଡ, ଆସାମ, ମେଘାଳୟ,ପଶ୍ଚିମବଙ୍ଗ,ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼,ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଯିବେ।