ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଣ୍ଡାମାନ ସାଗରରେ ସୃଷ୍ଟ ଅବପାତ ମହାବାତ୍ୟାର ରୂପ ନେଇ ଉପକୂଳ ଓଡ଼ିଶାରେ ମହାତାଣ୍ଡବ ରଚିଥିଲା। ଏହି ପ୍ରଳୟଙ୍କରୀ ବାତ୍ୟାରେ କେତେ ଲୋକଙ୍କ ଜୀବନ ଗଲା ତାହା ଆଜି ବି ଆକଳନ କରାଯାଇପାରି ନାହିଁ। ଆଉ ଏହାରି ମଧ୍ୟରେ ଅକ୍ଟୋବରରେ ବଙ୍ଗୋପସାଗର ଅଶାନ୍ତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି। ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଲଘୁଚାପ ଆଶଙ୍କା କରାଯାଉଛି। ଅକ୍ଟୋବର ୪ରୁ ୧୦ ଭିତରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି। ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ ଅଧିକ ଘନିଭୂତ ହେବ। ଲଘୁଚାପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି। ତେବେ ରାଜ୍ୟରେ ପ୍ରବଳ ବର୍ଷା ପରେ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି। ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୪ ଦିନ ଯାଏଁ ଅର୍ଥାତ ୩ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ନାହିଁ । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୪ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ । ଅକ୍ଟୋବରରେ ଆସିଥିବା ମହାବାତ୍ୟା, ଫାଇଲିନ୍, ହୁଡ୍ହୁଡ୍ ହେଉ କି ମେ’ ମାସରେ ଆସିଥିବା ଫନି, ଅମ୍ଫାନ ଓ ୟାସ୍। ପ୍ରତିଥର ଓଡ଼ିଶାର ଅଣ୍ଟା ଭାଙ୍ଗିଦେଉଛି ବାତ୍ୟା। ବାତ୍ୟା ମାଡ଼ରେ ଲକ୍ଷାଧିକ ଜନସାଧାରଣ ଜୀବିକା ହରାଇ ବସିଛନ୍ତି। ସ୍ଥିତି ଏମିତି ହେଲାଣି ଯେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଖବର ଜାଣିବା ପରେ ଲୋକଙ୍କ ନିଦ ହଜିଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ସମୟରେ ବାତ୍ୟାର ପ୍ରଭାବ ସେତେଟା ରହୁ ନ ଥିଲେ ମଧ୍ୟ ସୃଷ୍ଟି ହେଉଥିବା ଲଘୁଚାପ ଓ ଅବପାତ ଚିନ୍ତା ବଢ଼ାଉଛି। ସମୁଦ୍ରରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଜୁଆର ଉପକୂଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି। ବାରମ୍ବାର ବାତ୍ୟା ଆସିବା ପଛର କାରଣ କ’ଣ ରହିଛି ତାହାକୁ ନେଇ ଏବେ ବିଶ୍ବସ୍ତରରେ ଆଲୋଚନା ଆରମ୍ଭ ହୋଇଛି।