ଆଜିଠୁ ବଢିବ ବର୍ଷା ତାତିରୁ ମିଳିଲା ଆଶ୍ୱସ୍ତି । ସମଗ୍ର ରାଜ୍ୟ ପ୍ରଚଣ୍ଡ ତାତିରେ ଭାଜି ହେଉଥିବାବେଳେ ଆଜି ଏଥିରୁ ତ୍ରାହି ମିଳିଛି । ସାରା ରାଜ୍ୟରେ କଲବଲ କରୁଥିବା ଅସହ୍ୟ ତାତିରୁ ମୁକ୍ତି ପାଇଛି ଟ୍ୱିନ ସିଟି, କଟକ ସମେତ ଭୁବନେଶ୍ୱର ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବଦଳିଛି ପାଗ । ଏବଂ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଏବଂ କୁଆପଥର ବର୍ଷା ହୋଇଛି । ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ । କେବଳ ପଶ୍ଚିମ ଜିଲ୍ଲା ଗୁଡ଼ିକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି । କାଳବୈଶାଖୀ ବର୍ଷା କାରଣରୁ ପାରଦ ତଳମୁହାଁ ହୋଇଛି ଏବଂ ଗରମରୁ ମୁକ୍ତି ମିଳିଛି । ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ ହେବାର ସମ୍ଭାବନା ରହିଛି । ତେବେ ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନର ଆଶଙ୍କା ମଧ୍ୟ ରହିଛି । ଏନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି । ଫଳରେ ସମୁଦ୍ର ଅଶାନ୍ତ ଯୋଗୁ ୬ରୁ୮ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।