ରାଷ୍ଟ୍ରପତି ଭବନର ଦରବାର ହଲ୍ ଏବଂ ଅଶୋକ ହଲ୍ର ନାମ ପରିବର୍ତ୍ତନ କରାଯାଇଛି। ଦରବାର ହଲ୍ ନାଁ ପରିବର୍ତ୍ତନ ହୋଇ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍ ନାଁ ପରିବର୍ତ୍ତନ ହୋଇ ‘ଅଶୋକମଣ୍ଡପ’ ନାମରେ ପରିଚିତ ହେବ। ନାମ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହି ସମୟରେ ଅନେକ ପ୍ରମୁଖ ଅଟ୍ଟାଳିକା ଏବଂ ରାସ୍ତାର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି।ଏହି ଦରବାର ହଲ୍ରେ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ ସମାରୋହ ପରି ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଦରବାର ଶବ୍ଦ ଭାରତୀୟ ଶାସକ ଏବଂ ବ୍ରିଟିଶମାନଙ୍କର କୋର୍ଟ ଏବଂ ସମାବେଶ ସହିତ ଜଡ଼ିତ, ଯେଉଁଠାରେ ସେମାନେ ସେମାନଙ୍କର କାର୍ଯ୍ୟ ପରିଚାଳନା କରୁଥିଲେ। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ଏକ ଗଣତନ୍ତ୍ର ହେବା ପରେ ଏହାର ପ୍ରାସଙ୍ଗିକତା ଶେଷ ହେଲା। ପ୍ରାଚୀନ କାଳରୁ ଗଣତନ୍ତ୍ରର ଅବଧାରଣା ଭାରତୀୟ ସମାଜରେ ଗଭୀର ଭାବରେ ଯୋଡ଼ି ହୋଇଛି। ତେଣୁ ଦରବାର ହଲ୍ ପାଇଁ ‘ଗଣତନ୍ତ୍ର ମଣ୍ଡପ’ ନାମଟି ଅତ୍ୟନ୍ତ ପ୍ରଯୁଜ୍ୟ ଅଟେ।