ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । କେତେବେଳେ ଆସୁଛି, କେତେବେଳେ ଅଟକି ଯାଉଛି କାଳିଆ । ଭକ୍ତଙ୍କୁ କହୁଛି ଯେମିତି ମୋତେ ଅପେକ୍ଷା କର.. ଅପେକ୍ଷାରେ ତ ଥାଏ ଆନନ୍ଦ । ଏଣେ ଉଚ୍ଛନ୍ନ ହେଲେଣି ଭକ୍ତ। ହଟିଆ ଠାକୁରଙ୍କ ଦର୍ଶନ ପାଇଁ। ଆଉ ଧୈର୍ଯ୍ୟ ବନ୍ଧବାଡ଼ ମାନୁନି । ସମସ୍ତଙ୍କ ମନରେ ସେଇ ଗୋଟିଏ ଭାବ। ଗୋଟିଏ ବର୍ଷ ତ ଅପେକ୍ଷା କରାଇଲ । ଆଉ କେତେ ଅପେକ୍ଷା କରାଇବ ପ୍ରଭୁ ।ତୁମ ଦର୍ଶନରେ ଏ ଚର୍ମଚକ୍ଷୁ ପବିତ୍ର ହେବ । ଏ ପାପ ସଂସାରର ବୋଝ ଆଉ ସହି ହେଉନି। ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ ।ତେବେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ଶୂନ୍ୟ ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ ମାଆ ଜଗତ୍ଜନନୀ। ସାତ ପାହାଚରେ ପହଞ୍ଚିବା ପରେ ଦେବୀଙ୍କୁ ତୁଳସୀ ଲାଗି କରାଯାଇଥିଲା। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହୋଇଥିଲେ ଦେବୀ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଥିଲା ପହଣ୍ଡି।