ଭୁବନେଶ୍ୱର: ଯେଉଁ ରାସନକାର୍ଡ ଧାରୀମାନେ e-KYC ଅପଡେଟ୍ କରିନାହାନ୍ତି ସେମାନଙ୍କ ପାଇଁ ଆଶ୍ବସ୍ତିକର ଖବର । ଫେବ୍ରୁଆରୀ ୧୫ ଯାଏଁ ବଢ଼ିଲା ରାସନ e-KYC ଅପଡେଟ୍ । ଅବଧି ବୃଦ୍ଧି ନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା, ଏବେ ଫେବ୍ରୁଆରୀ ୧୫କୁ ବୃଦ୍ଧି ହେଲା । ବହୁ ହିତାଧିକାରୀ e-KYC କରି ନ ଥିବା କାରଣରୁ ଫେବ୍ରୁଆରୀ ୧୫ ଯାଏ ଏହାକୁ ବଢ଼ା ଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ କରି ନାହାନ୍ତି । ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ଇ-କେୱାଇସି ଅପଡେଟ୍ କରିଛନ୍ତି । ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପଡେଟ କରିଛନ୍ତି । ଜାନୁଆରୀ ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପଡେଟ୍ କରି ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କାର୍ଡରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି ।