ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲେ। ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରି ତୋଳିବା ଥିଲା ବିଜୟଙ୍କ ସ୍ୱକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
ବିଜୟ ମହାନ୍ତିଙ୍କ ଅଭିନୀତ ପ୍ରମୁଖ ଚଳଚ୍ଚିତ୍ର – ଚିଲିକା ତୀରେ, ବଳିଦାନ, ସଉତୁଣୀ, ସହରୀ ବାଘ, ଆରତୀ, ଟିକେ ହସ ଟିକେ ଲୁହ, ସ୍ବପ୍ନ ସାଗର, କାବେରୀ, ପରଝିଅ ଘର ଭାଙ୍ଗେନା, ହାକିମ ବାବୁ, ମମତା ମାଗେ ମୂଲ, ସମୟ ବଡ଼ ବଳବାନ, ଦଣ୍ଡା ବାଳଙ୍ଗା, ଚକା ଭଉଁରୀ, ପୁଅ ମୋର କଳାଠାକୁର, ଚକାଡୋଳା କରୁଛି ଳୀଳା, ହିସାବ କରିବ କାଳିଆ, ଏଇ ଆମ ସଂସାର, ଆମଘର ଆମ ସଂସାର, କିହେବ ଶୁଆ ପୋଶିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ଆଦି ଅନେକ ଚଳଚିତ୍ରରେ ବିଜୟ ମହାନ୍ତି ଅଭିନୟ କରିଥିଲେ।
ବିଜୟ ମହାନ୍ତିଙ୍କ ମନଜିଣା ଅଭିନୟର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ତାଙ୍କ ସଂଳାପ ଉଚ୍ଚାରଣ ଶୈଳୀ। ସେ ସଂଳାପକୁ ଏଭଳି ଅନ୍ତରଙ୍ଗ ଶୈଳୀରେ ପରିପ୍ରକାଶ କରନ୍ତି ଯେ ତାହା ଦର୍ଶକର ପ୍ରାଣକୁ ଅଭିଭୂତ କରିଦିଏ। ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ବନ୍ଦ୍ବୀ ଅଭିନେତା ଦିବଂଗତ ବିଜୟ ମହାନ୍ତିଙ୍କ ଏକାଦଶାହ ଅବସରରେ ଉପସ୍ଥାପିତ କରୁଛୁ ତାଙ୍କର ୭ଟି ମନଛୁଆଁ ସଂଳାପ….
୧: ‘ଏମିତି ଚୁପୁଚାପ୍ ହୋଇ ବସିଲେ ଭାବିଛୁ ମୁଁ କ’ଣ ତତେ ଛାଡ଼ି ଦେବି? ଆଜି ତତେ ମୋ’ କଥାର ଜବାବ୍ ଦେବାକୁ ପଡ଼ିବ। ଏମିତି ଚକା ଚକା ଆଖି କରି ଅନେଇଛୁ କ’ଣ? ତୁ ସବୁ ନାଟର ଗୋବର୍ଦ୍ଧନ।
ମୁଁ କ’ଣ ତୋ’ ବାଇଶି ପାହାଚ ତଳେ ଛିଡ଼ା ହୋଇ ମିନୁକୁ ଭିକ ମାଗିଥିଲି, ନା ତୋ’ ଗରୁଡ଼ ପଛରେ ଛିଡ଼ା ହୋଇ ମିନୁକୁ ପାଇବା ପାଇଁ ଘିଅଦୀପ ଜାଳିଥିଲି? କହ ଜବାବ୍ ଦେ।’ (ଚଳଚ୍ଚିତ୍ର- ଜଗା ହାତରେ ପଘା)
୨: କାବେରୀ ! ସତରେ ମୁଁ ବାହା ହେଲେ ତୁ କ’ଣ ଖୁସି ହବୁ? ବେଶ୍ ଯୋଉଥିରେ ତୋର ଖୁସି, ସେଇଥିରେ ମୁଁ ଖୁସି। (ଚଳଚ୍ଚିତ୍ର- କାବେରୀ)
୩: ବଇଁଶୀ ତା’ ହେଲେ ବଂଶୀ ନ ଫୁଙ୍କି ଏବେ ପଦ୍ମତୋଳା ଗାଇଲାଣି। ବଇଁଶୀ ଜାଣିନି ପଦ୍ମତୋଳା ଗାଇଲେ କଳା ନାଗ ବାହାରିବ, ଆଉ ସେ କଳା ନାଗ ତାକୁ ହିଁ ପ୍ରଥମେ ଦଂଶିବ। ମା’ ରାଣ….। (ଚଳଚ୍ଚିତ୍ର- ଚକାଭଉଁରୀ)
୪: ନାଗା, ଏବେ ବି ସମୟ ଅଛି, ଏଇ ଗାଁ ଲୋକଙ୍କ ପାଖରେ ନିଜ ପାପର ପ୍ରାୟଶ୍ଚିତ କର, ତା’ ନ ହେଲେ ପୁଣି ଜଗନ୍ ଦାସରୁ ଜଗା ପାଲଟିବି। (ଚଳଚ୍ଚିତ୍ର- କୋଟିଏ ମଣିଷ ଗୋଟିଏ ଜଗା)
୫: କିଛି ତ ନ ଥିଲା, ସବୁତ ସମସ୍ତଙ୍କୁ ସିଏ ଦେଇ ସାରିଥିଲା। ଏଇ ମୁଦି ଖଣ୍ଡିକ ଯାହା, ଏଥିରେ ତାର ପବିତ୍ର ରକ୍ତ ଲାଗି ରହିଛି। ଆଜି ତାର ଏଇ ମୁଦିଟି ତୁମକୁ ଉପହାର ଦେଉଛି।’ (ଚଳଚ୍ଚିତ୍ର- କି ହେବ ଶୁଆ ପୋଷିଲେ)
୬: ଆରେ ରଘୁ ଏ ବାଘବସାରେ ଛେଳି ଛୁଆଟା କିଏରେ?
(ଚଳଚ୍ଚିତ୍ର- ସହରୀ ବାଘ)
୭: ‘ମିଷ୍ଟର ଅଶୋକ ମହାପାତ୍ର, ମୁଁ ପ୍ରତିଜ୍ଞା କରି କହୁଛି ତମେ ମତେ ଯୋଉ ୩୦ ହଜାର ଟଙ୍କା କରଜ ଦେଇଥିଲ, ମୁଁ ତୁମକୁ ୩୦ ହଜାର ଟଙ୍କା ସୁଧ ସହିତ ଶୁଝି ଦେବି। ଆଉ ଯଦି ତା’ ଭିତରେ ଯଦି ମୋର କିଛି ହୋଇଗଲା, ତମକୁ ରାଣ ରହିଲା, ତମେ ମୋ ଶବରେ କାନ୍ଧ ଲଗେଇବନି କି ମୋ ମୁହଁରେ ନିଆଁ ଦେବନି କି ଶୁଦ୍ଧିକ୍ରିୟା କରିବନି।’ (ଚଳଚ୍ଚିତ୍ର- ଲକ୍ଷ୍ମଣ ରେଖା)