ମା’ ସମଲେଶ୍ବରୀ ମନ୍ଦିର ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। ସମଲେଶ୍ବରୀ ମନ୍ଦିରର ନବ କଳେବର ‘ସମଲେଇ ପ୍ରକଳ୍ପ’ ପରେ ଆୟ ତୁଳନାରେ ବ୍ୟୟ ବହୁତ ଅଧିକ ହୋଇଛି। ସ୍ଥିତି ଏମିତି ଯେ ବିଦ୍ୟୁତ୍ ବିଲ୍ ଦେବା ବି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷେ କଷ୍ଟକର ହୋଇପଡ଼ିଛି। ଏପଟେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସମଲେଇ ପ୍ରକଳ୍ପର ବହୁ କାମ ଏବେ ବି ବାକି ରହିଛି।ସମଲେଇ ପ୍ରକଳ୍ପ ପାଇଁ ନିର୍ବାଚନରେ ଫାଇଦା ମିଳିବ ବୋଲି ଆଶା ରଖିଥିଲେ ତତ୍କାଳୀନ ବିଜେଡି ସରକାର। ସେଥିପାଇଁ ଅତ୍ୟନ୍ତ ତରବରିଆ ଭାବେ ଗତ ୨୭ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଗଲା। ୨୯୩ କୋଟି ଟଙ୍କାର ଏହି ପ୍ରକଳ୍ପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୩୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ, ଲୋକାର୍ପଣର ୬ ମାସ ପରେ ବି ପ୍ରଥମ ପର୍ଯ୍ୟାୟରେ ଯେଉଁ ସବୁ କାମ ପାଇଁ ଲକ୍ଷ୍ୟ ରହିଥିଲା, ତାହା ହୋଇପାରିନାହିଁ।ସନ୍ଧ୍ୟା ପରେ ମନ୍ଦିର ପରିସରକୁ ଆଲୋକମାଳାରେ ଝଲସାଇବା ପାଇଁ ବିଭିନ୍ନ ପ୍ରକାରର ୩ ହଜାର ଲାଇଟ୍ ଲଗାଯାଇଛି। ଏତେ ସଂଖ୍ୟକ ଲାଇଟ୍ ଲଗାଯିବା ଦ୍ବାରା ବିଦ୍ୟୁତ୍ ବିଲ୍ ବହୁଗୁଣ ବଢ଼ିଯାଇଛି। ପ୍ରତି ମାସ ବିଦ୍ୟୁତ୍ ବିଲ୍ ୨.୭୦ ଲକ୍ଷରୁ ୩ ଲକ୍ଷ ଟଙ୍କା ମଧ୍ୟରେ ଆସୁଛି। ବିଦ୍ୟୁତ୍ ଚାଲିଗଲେ ଜେନେରେଟର ବ୍ୟବହାର ହେଉଛି। ଜେନେରେଟରରେ ତେଲ ବାବଦକୁ ଖର୍ଚ୍ଚ ପୁଣି ରହିଛି। ଗତ ୫ ମାସ ମଧ୍ୟରେ ୧୭ ଲକ୍ଷରୁ ଅଧିକ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଥିବା ଟ୍ରଷ୍ଟବୋର୍ଡ ସୂତ୍ରରୁ ଜଣାପଡ଼ିଛି।