ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଚୀନ୍ ସେନାର ବଡ଼ଧରଣର ଭାରତ ବିରୋଧୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଚୀନ୍ ସେଠା ଏଠାରେ ଅତ୍ୟନ୍ତ ଗୁପ୍ତ ଭାବେ କିଛି ମାସ ହେଲା ଖନନ କରୁଛି ଏବଂ ଏହି ଅଞ୍ଚଳର ଏକ ପ୍ରମୁଖ ଘାଟିରେ ଅସ୍ତ୍ରଶସ୍ତ୍ର ଏବଂ ଇନ୍ଧନ ସଂରକ୍ଷଣ ପାଇଁ ଭୂତଳ ବଙ୍କର ନିର୍ମାଣ କରିଥିବା ସାଟେଲାଇଟ୍ ଫଟୋରୁ ଜଣାପଡ଼ିଛି। ଏବେ ଏଲ୍ଏସିର ଅତି ନିକଟରେ ଚୀନ୍ ନିର୍ମାଣ କରିଥିବା ଭୂତଳ ବଙ୍କର ରହିଛି ଯାହାକୁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଓ ଇନ୍ଧନ ସଂରକ୍ଷଣ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଆମେରିକାର କମ୍ପାନି ବ୍ଲାକ୍ସ୍କି ପକ୍ଷରୁ ଜାରି ହୋଇଥିବା ଫଟୋରୁ ଜଣାପଡ଼ିଛି। ଗତ ମେ ୩୦ ତାରିଖରେ ଉଠାଯାଇଥିବା ଏକ ଫଟୋରେ ଏକ ବଡ଼ ଭୂତଳ ବଙ୍କରର ଆଠଟି ଝୁଲନ୍ତା ପ୍ରବେଶ ପଥ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଆଉ ଏକ ଛୋଟ ବଙ୍କର ରହିଛି, ଯେଉଁଥିରେ ପାଞ୍ଚଟି ପ୍ରବେଶ ଦ୍ୱାର ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଆଶ୍ରୟସ୍ଥଳୀଗୁଡ଼ିକରୁ ନିର୍ଦ୍ଦିଷ୍ଟ ଗାଇଡେଡ୍ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ ଏବଂ ଚୀନ୍ ଏୟାର ଷ୍ଟ୍ରାଇକ୍ରୁ ମଧ୍ୟ ନିଜ ସୈନିକଙ୍କୁ ସୁରକ୍ଷିତ ରଖିପାରିବ।