ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍କୁ ବିଶ୍ବରେ ପରିଚିତ କରିବାେର ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ବପ୍ନ ଦେଖିବାକୁ ଭୟ କରନାହିଁ। ସ୍ବପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ବୀକାର କରିବା ସହ ଗର୍ବିତ ହେବେ।ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନଥିଲେ ବରଂ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ବ୍ୟବସାୟ କ୍ଷେତ୍ରରେ ଶୀର୍ଷରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଜଣେ ପରୋପକାର ବ୍ୟକ୍ତି ମଧ୍ୟ ଥିଲେ । ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ୱ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ । ବୁଧବାର ଦିନ ମୃତ୍ୟୁବରଣ କରିଥିବା ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ମହାରାଷ୍ଟ୍ର ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରିବାକୁ ଘୋଷଣା କରିଛନ୍ତି।