ରାଜ୍ୟରେ ଯକ୍ଷ୍ମା ଔଷଧର ଗୁରୁତର ସଙ୍କଟ ଦେଖାଦେଇଛି। ପ୍ରାୟ ଦୁଇ ମାସ ହେବ କେନ୍ଦ୍ରରୁ ଔଷଧ ଯୋଗାଣ ବନ୍ଦ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ଔଷଧ ମହଜୁଦ ଥିଲା ତାହା ବି ସରିଗଲାଣି। ଚିନ୍ତାଜନକ ବିଷୟ ହେଉଛି ଯେ ଖୋଲା ବଜାରରେ ମଧ୍ୟ ଏହି ଔଷଧ ମିଳୁନାହିଁ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଔଷଧ ମିଳୁ ନ ଥିବାରୁ ଯକ୍ଷ୍ମା ରୋଗୀଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏ ସ୍ଥିତି କେବଳ ଓଡ଼ିଶାର ନୁହେଁ, ଦେଶବ୍ୟାପୀ ଏଭଳି ଚିତ୍ର ଆସୁଛି। ହେଲେ ଭାରତରେ ଏହି ଔଷଧର ଅଭାବ ଦେଖାଦେବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଧାର୍ଯ୍ୟ କୋର୍ସ ପୂରଣ କରୁ ନ ଥିବା ରୋଗୀମାନଙ୍କୁ ଡ୍ରଗ୍ ରେସିଷ୍ଟାଣ୍ଟ୍ ଟିବି(ଯକ୍ଷ୍ମା)ର ଭୟ ରହିଛି। ଏହାସହ ରୋଗ ସଂକ୍ରମଣ ବଢ଼ିବାର ମଧ୍ୟ ଆଶଙ୍କା ଦେଖାଦେଲାଣି। ଔଷଧ ଅଭାବକୁ ରାଜ୍ୟ ସରକାର କିଭଳି ମୁକାବିଲା କରିବେ ତାହା ବୁଝିପାରୁନାହାନ୍ତି। ଗୋଟିଏ ପଟେ ୨୦୨୫ ସୁଦ୍ଧା କେନ୍ଦ୍ର ସରକାର ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ହେଲେ ଔଷଧ ଅଭାବରୁ ଏହି ଲକ୍ଷ୍ୟକୁ ନେଇ ପ୍ରଶ୍ନ ଉଠାଲାଣି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯକ୍ଷ୍ମା ଔଷଧ ସବୁବେଳେ କେନ୍ଦ୍ରରୁ ଯୋଗାଣ ହୋଇଥାଏ। ଏ ଦୃଷ୍ଟିରୁ ରାଜ୍ୟ ସରକାର କାଁ ଭାଁ ଏହି ଔଷଧ ଖୁଚୁରା ବଜାରରୁ କିଣିଥାନ୍ତି। ହେଲେ ଖୋଲା ବଜାରରେ ଔଷଧ ମିଳୁ ନ ଥିବାରୁ ରାଜ୍ୟ ଔଷଧ ନିଗମ ପାଇଁ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଛି। ପ୍ରାୟ ଦୁଇ ମାସ ହେବ ଏହି ଔଷଧ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଔଷଧ ଅଭାବ ପାଇଁ ରାଜ୍ୟରେ ଯକ୍ଷ୍ମା ସଂକ୍ରମଣ ବଢ଼ିବା ଓ ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ବୃଦ୍ଧି ପାଇବା ସଂପର୍କରେ ଅଧିକାରୀ କହିଛନ୍ତି ଯେ ଯଥାଶୀଘ୍ର ଔଷଧ ଯୋଗାଣ ହେଲେ ଏହାର ମୁକାବିଲା କରାଯାଇପାରିବ।