ଜେବେର୍ହା (ପୋର୍ଟ ଏଲିଜାବେଥ): ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୬୧ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ସିରିଜ୍ ଆଗୁଆ ରହିଛି। ଘରୋଇ ଦଳ ମଧ୍ୟ ୪ଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଫେରିବାକୁ ପ୍ରୟାସ କରିବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ବୋଲି ଆଶା କରାଯାଉଛି ।
ପ୍ରଥମ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂର ହିରୋ ସାଜିଥିଲେ ୱିକେଟରକ୍ଷକ ସଞ୍ଜୁ ସାମସନ। ଏହି ମ୍ୟାଚରେ ସେ ମାତ୍ର ୫୦ଟି ବଲ୍ରୁ ୧୦୭ ରନ୍ କରି ମ୍ୟାଚ୍ ବିଜେତା ହୋଇଥିଲା। ଏହା ସହ ସଞ୍ଜୁ ମଧ୍ୟ ଟି-୨୦ ଫର୍ମାଟରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି। କିନ୍ତୁ ଏହି ମ୍ୟାଚ୍ରେ ତାଙ୍କୁ ଛାଡ଼ି ଦେଲେ ଅନ୍ୟ ଟପ୍ ଅର୍ଡର କିମ୍ବା ପ୍ରମୁଖ ଖେଳାଳି ବ୍ୟାଟିଂରେ କ୍ଲିକ୍ କରି ନାହାନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଓପନର ଅଭିଷେକ ଶର୍ମା। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କିମ୍ବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ। ଏମାନେ ସମସ୍ତେ ପ୍ରଥମ ଦିନିକିଆରେ ପର୍ଯ୍ୟାପ୍ତ ସମୟ ବ୍ୟାଟିଂ ପାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ଏଥିରୁ ମୁକୁଳିବାକୁ ହେଲେ ଦଳକୁ କିଛି ନୂଆ ଯୋଜନା ନେଇ ଖେଳିବାକୁ ହେବ।
ଅନ୍ୟ ପକ୍ଷରେ କିଛି ବରିଷ୍ଠ ଖେଳାଳିଙ୍କୁ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଭଲ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦଳରେ ଥିବା ସିନିୟର ଖେଳାଳି ଯଥା ଅଧିନାୟକ ଆଇଡେନ୍ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ହେନ୍ରିକ୍ କ୍ଲାସେନଙ୍କୁ କିଛି ଅଧିକା ରିସ୍କ ନେବାକୁ ହେବ। ନବାଗତ ଖେଳାଳିମାନେ ଶୃଙ୍ଖଳିତ ପ୍ରଦର୍ଶନ କରିବାରେ ସମର୍ଥ ହୋଇ ନାହାନ୍ତି। ଯାହା ଫଳରେ ଦଳ ୱେଷ୍ଟଇଣ୍ଡିଜ୍ ନିକଟରୁ ୩-୦ରେ ଟି-୨୦ ସିରିଜ୍ ହାରିଯାଇଥିଲା। ଆୟର୍ଲାଣ୍ଡ ସହ ସିରିଜ୍ ଡ୍ର ରଖିଥିଲା। ଏଣୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳରେ ସନ୍ତୁଳନର ଅଭାବ ରହିଛି। କିନ୍ତୁ ଘରୋଇ ମାଟିରେ ଏହି ଦଳ ସର୍ବଦା ଲଢ଼ୁଆ ଖେଳିଥାଏ। ଦଳରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି। ଏହି ଖେଳାଳିଙ୍କର ଷ୍ଟ୍ରାଇକ୍ରେଟ୍ ନୁହେଁ, କ୍ରିଚ୍ରେ ତିଷ୍ଠିବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଭଳି ସ୍ଥିତିରେ ସେମାନେ ଭାରତର ମୁକାବିଲା କରିବାକୁ ହେଲେ ଭଲ ପ୍ରଦର୍ଶନ କରିବାକୁ ହେବ। ନଚେତ କ୍ରମାଗତ ପରାଜୟର ସାମ୍ନା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।