ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଘଟଣାରେ ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ । ଆସନ୍ତା ୭ ଦିନ ମଧ୍ୟରେ କ୍ୟାମ୍ପସରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି -ଆଇସିସି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମହିଳାଙ୍କୁ ଯୌନ ନିର୍ଯାତନା ରୋକିବା ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜ୍ୟର ସବୁ ସରକାରୀ, ଘରୋଇ ଓ ଡିମଡ ବିଶ୍ବବିଦ୍ୟାଳୟ, ସରକାରୀ ଓ ବେସରକାରୀ ଡିଗ୍ରି କଲେଜ ଓ ସରକାରୀ ତାଲିମ ପ୍ରତିଷ୍ଠାନକୁ କୁହାଯାଇଛି । ଏନେଇ ବିଶ୍ଵବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷମାନେ ୩୦ ତାରିଖ ସୁଦ୍ଧା ବିଭାଗକୁ ଜଣାଇବେ। ଗୋଟିଏ କି ଦୁଇଟି ନୁହେଁ ରାଜ୍ୟର ୩ଶହରୁ ଅଧିକ ଶିକ୍ଷାନୁଷ୍ଠାନରେ ଆଇସିସି ନାହିଁ ।
ଏଥିପାଇଁ ନିର୍ଯାତନା ନେଇ ମହିଳା କର୍ମଚାରୀ ଓ ଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରୁନାହାନ୍ତି । କିଛି ଶିକ୍ଷାନୁଷ୍ଠାନରେ ଆଇସିସି ରହିଥିଲେ ମଧ୍ୟା ତାହା ଠିକ ଭାବେ କାର୍ଯ୍ୟ କରୁନାହିଁ ବୋଲି ଅଭିଯୋଗ ହେଉଛି । ଉଚ୍ଚଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ଏକାଧିକ ଥର ନିର୍ଦ୍ଦେଶ ପରେ ମଧ୍ୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି । ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର କିଛି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଉଚ୍ଚଶିକ୍ଷା ବିଭାଗ ଆଭିମୁଖ୍ୟକୁ କଠୋର କରିଛି ।
ମହିଳାମାନଙ୍କୁ ଯୌନ ନିର୍ଯ୍ୟାତନା କ୍ଷେତ୍ରରେ ଆଇସିସି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସେହିପରି ସେମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଏଥିପାଇଁ ଆଇସିସି ଗଠନ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି।