ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ଭିତରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୪ ତୀବ୍ରତା ବୋଲି ଜଣା ପଡିଛି । ଭୂକମ୍ପର ଗଭୀରତା ୭୦ କିଲୋମିଟର ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି । ବିଳମ୍ବିତ ରାତି ପ୍ରାୟ ୦୧.୨୯.୦୬ରେ ଭୂକମ୍ପ ହୋଇଥିଲା । ଏହା ପୂର୍ବରୁ ଆଫିକା ଦେଶ ମରକ୍କୋରେ ୯ ସେପ୍ଟେମ୍ବର ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ୨,୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ମରକ୍କୋରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ପରିଣାମ ଏତେ ଭୟଙ୍କର ଯେ, ଏବେ ପର୍ଯ୍ୟନ୍ତ ସେଠାରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଏହି ଭୂକମ୍ପ ୩୫୦ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥିଲା ।ପୃଥିବୀ ମଧ୍ୟରେ ୭ଟି ଟେକଟୋନିକ ପ୍ଲେଟ ଅଛି । ଏହି ପ୍ଲେଟ ଗୁଡିକ ଘୂରି ବୁଲେ । ଯେତେବେଳେ ଏହି ପ୍ଲେଟ ପରସ୍ପର ମଧ୍ୟରେ ଧକ୍କା ହୋଇଥାଏ, ସେତେବେଳେ ଭୂକମ୍ପ ଝଟକା ଲାଗିଥାଏ । ଭୂକମ୍ପ ମାପିବା ପାଇଁ ରିକ୍ଟର ସ୍କେଲର ବ୍ୟବହାର ହୋଇଥାଏ । ଏଥିରେ ଭୂକମ୍ପ ହୋଇଥିବା ସ୍ଥାନରେ କେତେ ପରିମାଣର ଭୂକମ୍ପ ହୋଇଛି ଏବଂ ଏହାର ଗଭୀରତା କେତେ ତାହା ମପା ଯାଇଥାଏ ।