ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଛି। ତେବେ ବିରୋଧୀ ଦଳରେ ଥିବାବେଳେ ଏହାକୁ ନେଇ ଭାଜପା ଓ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିଲେ। ଏବେ କ୍ଷମତା କଡ଼ ଲେଉଟାଇଛି ଏବଂ ଶାସନ ଡୋର ମୋହନ ମାଝିଙ୍କ ପାଖକୁ ଆସିଛି। ଗଣତନ୍ତ୍ରର ଏନ୍ତୁଡି ହେଉଛି କଲେଜ। ଆଜି ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ ରାଜନେତାର ଦକ୍ଷତା ସେହି କଲେଜ ସମୟରେ ଛାତ୍ରନେତା ସମୟରେ ହିଁ ନଜର ଆସିଥାଏ।ତେବେ ଛାତ୍ରନେତାରୁ ରାଜନେତା ହେବା ପ୍ରକ୍ରିୟା ଗତ ୬ବର୍ଷ ଧରି ବନ୍ଦ ରହିଛି। ୬ବର୍ଷ ଧରି ତିତିଲି ବାତ୍ୟା ଓ କୋଭିଡ ଯୋଗୁ ପୂର୍ବତନ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ଜଣେ ଛାତ୍ରର ନେତୃତ୍ୱ ନେବାର ଦକ୍ଷତା ଏହି ଛାତ୍ର ନିର୍ବାଚନରୁ ହିଁ ଜଣାପଡେ। ଜଣେ ଛାତ୍ର ‘ହ୍ବାଏ ଆଇ ଷ୍ଟାଣ୍ଡ ମିଟିଗଂ’ ରେ ନିଜର ପ୍ରତିଶ୍ରୁତି ରଖିଥାଏ। ଓ ନିର୍ବାଚିତ ହେବା ପରେ ପ୍ରତିଶ୍ରୁତି ଉପରେ କାମ କରେ। ଯାହା ଛାତ୍ର ରାଜନୀତି ଜୀବନରୁ ତା’ର ଦାୟିତ୍ୱବୋଧତାକୁ ସୁଦୃଢ କରେ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ରସଂସଦ ଗଠନ ଓ ସିନେଟରେ ଛାତ୍ର ପ୍ରତିନିଧିତ୍ୱକୁ ବନ୍ଦ କରାଯାଇଛି। ଯାହାକୁ ନେଇ ପ୍ରତିବର୍ଷ ବିରୋଧ କରାଯାଉଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ‘ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରେ’। ଏନେଇ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ‘ନିର୍ବାଚନ ମାଧ୍ୟମରେ କ୍ୟାମ୍ପସରେ ଛାତ୍ର ସଂସଦ ଗଠନ କରାଯିବା ଦରକାର। ଯେକୌଣସି ଦଳର ସମର୍ଥିତ ପ୍ରାର୍ଥୀ ଜିତନ୍ତୁ ନା କାହିଁକି, ଏହାଦ୍ୱାରା ନୂଆ ଯୁବ ନେତୃତ୍ୱ ସୃଷ୍ଟି ହୋଇଥା’ନ୍ତି। ତେଣୁ ରାଜ୍ୟ ସରକାର ଏ ବିଷୟକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଶୃଙ୍ଖଳାର ସହ କିଭଳି ନିର୍ବାଚନ ହେବ ସେନେଇ ନୀତିଗତ ନିଷ୍ପତ୍ତି ହେବା ପରେ ଜଣାଇ ଦିଆଯିବ’ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଅର୍ଥାତ୍ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ, ସରକାର ଛାତ୍ର ସଂସଦ ନିର୍ବାଚନ କରାଇବା ଦିଗରେ ତତ୍ପର ଅଛନ୍ତି।