ମଣିପୁରରେ ସାନି ହିଂସା ଓ ଡ୍ରୋନ୍ ଆକ୍ରମଣର ପ୍ରତିବାଦ ଏବଂ ତୁରନ୍ତ ଶାନ୍ତି ଫେରାଇ ଆଣିବା ଦାବିରେ ଛାତ୍ର ଆନ୍ଦୋଳନ ଜୋର୍ଦାର ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ରାଜ୍ୟ ସରକାର ୩ ଜିଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛନ୍ତି। ଇମ୍ଫାଲ ଇଷ୍ଟ, ଇମ୍ଫାଲ ଓ୍ବେଷ୍ଟ ଏବଂ ଥୌବାଲ ଜିଲାରେ ଜନସାଧାରଣ ବାହାରକୁ ବାହାରିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଗଣମାଧ୍ୟମ, ବିଦ୍ୟୁତ୍, କୋର୍ଟ ଓ ସ୍ବାସ୍ଥ୍ୟସେବା ଆଦି ଜରୁରୀ ସେବାକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି। ଏଥିସହ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ସୋସିଆଲ ମିଡିଆରେ ଆନ୍ଦୋଳନ ବେଳର ଫଟୋ, ଘୃଣିତ ଭାଷଣ ଓ ଭିଡିଓ ଛାଡ଼ିବା ବନ୍ଦ କରିବା ପାଇଁ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନେଟ୍ ସମେତ ମୋବାଇଲ ଡେଟା ସର୍ଭିସ ସେପ୍ଟେମ୍ବର ୧୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ସୁରକ୍ଷା ଉପଦେଷ୍ଟାଙ୍କ ବହିଷ୍କାର ଦାବିରେ ଛାତ୍ରୀଛାତ୍ର ମଙ୍ଗଳବାର ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ସୁରକ୍ଷା ବଳ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।
ଶାନ୍ତି ଫେରାଇ ଆଣିବା ଦାବିରେ ଛାତ୍ର ଆନ୍ଦୋଳନ ଜୋର୍ଦାର
Leave a comment