ନୂଆଦିଲ୍ଲୀ: ସୁଦାନ ସଙ୍କଟ ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ପ୍ରାୟ ୨୦୦୦ ଭାରତୀୟଙ୍କୁ ତିନି ଦିନ ମଧ୍ୟରେ ହିଂସା ପ୍ରବଣ ଅଂଚଳରୁ ଉଦ୍ଧାର କରାଯାଇଛି। ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା ଗୁରୁବାର ଆଶ୍ବସ୍ତ କରି କହିଛନ୍ତି ଯେ କୌଣସି ଜଣେ ବି ଭାରତୀୟଙ୍କୁ ହିଂସା ପ୍ରବଣ ସୁଦାନରେ ଛଡ଼ାଯିବନି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। କ୍ବାତ୍ରା ସ୍ବୀକାର କରିଛନ୍ତି ଯେ ସୁଦାନରେ ସ୍ଥିତି ଅତ୍ୟନ୍ତ ଜଟିଳ ଓ ବିପଜ୍ଜନକ ରହିଛି। ସେଠାରେ ଏପ୍ରିଲ ୧୫ ତାରିଖରେ ହିଂସା ଆରମ୍ଭ ହେବା ପରଠାରୁ ଭାରତୀୟ ଦୂତାବାସ ପକ୍ଷରୁ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଭାରତୀୟଙ୍କୁ ସହଯୋଗ କରିବାପାଇଁ ୨୪ ଘଣ୍ଟା ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ବିଦେଶ ସଚିବ କହିଛନ୍ତି, ଆମର ଫୋକସ୍ ହେଉଛି ଭାରତୀୟମାନଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଏହାପରେ ସେମାନଙ୍କୁ ଘରକୁ ଫେରାଇ ଆଣିବା। ଇତିମଧ୍ୟରେ ଅପରେସନ କାବେରୀ ଅଧୀନରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ସୁଦାନରୁ ଉଦ୍ଧାର ହୋଇଥିବା ୨୪୬ ଭାରତୀୟ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି।
ସୁଦାନ ସଙ୍କଟ ଘନେଇବାରେ ଲାଗିଥିବା ବେଳେ ବିଦ୍ରୋହୀମାନେ ସୁଦାନ ରାଜଧାନୀ ଖାରତୋମରେ ଏକ ବାୟୋଲ୍ୟାବ ନିଜ ଦଖଲକୁ ନେଇଯାଇଛନ୍ତି। ଏହି ବାୟୋଲ୍ୟାବରେ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ ଜୀବାଣୁ ଅଛି। ଲ୍ୟାବରେ ମିଳିମିଳା, ପୋଲିଓ ଏବଂ ହଇଜା ଭଳି ବିଭିନ୍ନ ଜୀବାଣୁ ମଧ୍ୟ ଆଇସୋଲେଟ୍ କରି ରଖାଯାଇଛି। କୌଣସି ପ୍ରକାର ଅଘଟଣ ଘଟିଲେ ସୁଦାନ ହିଂସା ସାରା ବିଶ୍ବ ପାଇଁ ବିପଦ ଆଣିବ। ଏବେ ଏହି ଲ୍ୟାବ୍ ସଂପୂର୍ଣ୍ଣ ଅସୁରକ୍ଷିତ ରହିଛି ଏବଂ ଏହାର କର୍ମଚାରୀମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ସୁଦାନରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ପ୍ରତିନିଧି କହିଛନ୍ତି, ଲ୍ୟାବ ଟେକନିସିଆନ୍ମାନେ ଏହି ଜାତୀୟ ଜନ ସ୍ବାସ୍ଥ୍ୟ ଲାବ୍ରୋଟୋରି ସହ କୌଣସି ଯୋଗାଯୋଗ କରିପାରୁନାହାନ୍ତି। ତେବେ ଏଥିଯୋଗୁଁ ଏକ ବଡ଼ ଧରଣର ବିପର୍ଯ୍ୟୟ ଆସିପାରେ। ଏହି ଲ୍ୟାବରୁ ଅନେକ ଘାତକ ସଂକ୍ରାମକ ରୋଗ ଆସିପାରେ ଏବଂ ସମଗ୍ର ବିଶ୍ବ ଏଥିରେ ପ୍ରଭାବିତ ହେବା ବିପଦ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଏହି ଲ୍ୟାବ୍ର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସୁଦାନରେ ସେନା ପକ୍ଷରୁ ଅସ୍ତ୍ରବିରତି ଅବଧି ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନିଆଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ଖାଦ୍ୟ ଏବଂ ପାଣିର ଅଭାବ ଏବଂ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଅଭାବରୁ ସୁଦାନରେ ମୃତ୍ୟୁର ବିଭୀଷିକା ଦେଖିବାକୁ ମିଳିପାରେ।
ସୁଦାନ ସଂଘର୍ଷ ଯୋଗୁଁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।