ନୂଆଦିଲ୍ଲୀ : ସୁଦାନ ସଙ୍କଟ ଦିନକୁଦିନ ଘନେଇବାରେ ଲାଗିଛି। ସୁଦାନରେ ଏବେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସୁଦାନ ସଙ୍କଟ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହିତ ଭାରତୀୟଙ୍କ ପାଇଁ ଚିନ୍ତାପ୍ରକଟ କରିଛନ୍ତି।ସୁଦାନରେ ଗତ ୮ ଦିନ ଧରି ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଭୟଙ୍କର ଲଢ଼େଇ ହୋଇ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଲଗାତାର ଗୁଳିମାଡ଼ ଯୋଗୁଁ ଭାରତୀୟମାନେ ମଧ୍ୟ ଖାଦ୍ୟ, ପାଣି, ମେଡିସିନ ଏବଂ ବିଦ୍ୟୁତ ଅଭାବ ସାମ୍ନା କରିଛନ୍ତି। ପାଖାପାଖି ୫ ନିୟୁତ ଲୋକ ବିନା ଖାଦ୍ୟ, ପାଣି ଏବଂ ବିନା ବିଦ୍ୟୁତରେ ଘରେ ଫସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ସୁଦାନରେ ଫସିଥିବା ଭାରତୀୟମାନଙ୍କ ଉଦ୍ଧାର ଯୋଜନା ପ୍ରସ୍ତୁତ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଉକ୍ତ ପ୍ରସଙ୍ଗରେ ଯୋଗାଯୋଗ ରହିବା ଉପରେ ବି ସେ ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ, ସୁଦାନରେ ଗତ ସପ୍ତାହରେ ଜଣେ ଭାରତୀୟଙ୍କ ବୁଲେଟ୍ ମାଡ଼ରେ ମୃତ୍ୟୁ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।
ବୈଠକରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ସିପିଭି ସଚିବ ଔସଫ ସଇଦ ଏବଂ ଉପସାଗରୀୟ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ ଯୋଗ ଦେଇଥିଲେ।