ଆଜି ପବିତ୍ର ସୁଦଶାବ୍ରତ ,ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ ନାମରେ ଦଶଟି ଗଣ୍ଠି ପକାଯାଏ। ସେହି ନାମଗୁଡ଼ିକ ହେଲା ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ। ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ। ଏହି ବ୍ରତରେ ସାଧାରଣ ଦ୍ରବ୍ୟ ଛଡ଼ା ଦଶ ଫୁଲ, ଦଶ ଫଳ, ଦଶ ଦୂର୍ବା, ଦଶ ଖିଅ ସୂତାର ଦଶ ଗଣ୍ଠିଯୁକ୍ତ ଡୋର ଓ ଦଶଟି ମଣ୍ଡାର ଆବଶ୍ୟକ ହୁଏ। ଏହି ବ୍ରତରେ ମହାଲକ୍ଷ୍ମୀଙ୍କୁ ପୂଜାକରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି। ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଥାଏ। ପଦ୍ମପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ।