ମା’ ସହ ପରିବାରର ୩ ଜଣଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ଶେଷରେ ମା’ର ଶାଢ଼ି ଲଗାଇ ଆତ୍ମହତ୍ୟା କରିଦେଲା ସାନ ପୁଅ। । ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ଦ୍ରୋଣ ମହାକୁଡ଼। ଏହି ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ଗତ ୧୦ ତାରିଖ ସନ୍ଧ୍ୟାରେ କାନୁଟ ଗାଁ ଉପରପଡ଼ାରେ ଅଦା ବରିହାଙ୍କ ପରିବାରର ୬ ଜଣ ବସି ଟିଭି ଦେଖୁଥିଲେ। ସେହି ସମୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଥିଲେ। ତୁରନ୍ତ ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୨ ତାରିଖରେ ଜଣଙ୍କ ଜିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ଗତକାଲି ରାଉରକେଲାର ଏକ ଘରୋଇ ମେଡିକାଲରେ ଦ୍ରୋଣଙ୍କ ମା’ମାଳତିଙ୍କର ମୃତ୍ୟୁ ହୋଇଥିଲା। ହେଲେ ମେଡିକାଲରେ ଚିକିତ୍ସାବାବୁଦକୁ ଟଙ୍କା ପଇଠ ହୋଇ ନଥିବାରୁ ମୃତଦେହ ଘରକୁ ଆସିପାରିନଥିଲା। ଏଥିପାଇଁ ଚିନ୍ତାରେ ଥିଲେ ପୁଅ ଦ୍ରୋଣ। ଅନ୍ୟପକ୍ଷରେ ମୃତଦେହକୁ ମେଡିକାଲରୁ ଆଣିବାକୁ ପୁଅ ଦ୍ରୋଣଙ୍କ ପାଖରେ ଆର୍ଥିକ ସମ୍ବଳ ମଧ୍ୟ ଥିଲା। ଗାଁର ଯୁବକମାନେ ମୃତଦେହ ଆଣିବା ପାଇଁ ଚାରିଆଡେ ବୁଲି ଭିକ୍ଷ ମାଗିଥିଲେ। ଏହି ସବୁ ଦେଖି କଅଁଳ ବୟସରେ ଭାଙ୍ଗିପଡ଼ିଥିଲା ଦ୍ରୋଣ।
ଆଜି ସକାଳେ ନିଜ ମା’ର ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲା। ଗ୍ରାମବାସୀ ଏହି ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।