ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଯାଇଛି । ଦିଗପହଣ୍ଡିର ବର୍ତ୍ତମାନ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ । ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବୟସରେ ପରଲୋକ ହୋଇଛି । ‘ସୂର୍ଯ୍ୟ ପାତ୍ର’ ଓ ‘ଆନ୍ନା’ ଭାବେ ଜଣାଶୁଣା ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟରେ ମନ୍ତ୍ରୀ, ବାଚସ୍ପତି ଏବଂ ବିଜେଡି ଦଳର ବିଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ।
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।