ଅଘୋଷିତ ବିଦ୍ୟୁତ କାଟ୍ ଏବଂ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଚଳିତ ଗ୍ରୀଷ୍ମରେ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପୁଣି ବିଦ୍ୟୁତ୍ ଦେୟ ଆଦାୟ ପ୍ରଣାଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଦାୟିତ୍ୱ ନେବା ପରଠାରୁ ଟାଟା ପାୱାର୍କୁ ବିବାଦ ପିଛା ଛାଡ଼ିବାର ନାଁ ଧରୁନାହିଁ। ଏଥିନେଇ ବହୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲେ ହେଁ ଟାଟା ପକ୍ଷରୁ ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏହି ସମସ୍ୟାର ସମାଧାନ ପାଇଁ ପୁଣି ଥରେ ଆଗକୁ ଆସିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଜଣେ ଗ୍ରାହକ ଟାଟାର ବିଦ୍ୟୁତ୍ ଦେୟ ଆଦାୟ ପ୍ରଣାଳୀକୁ ନେଇ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ପୋଷ୍ଟ କରି ଆପତ୍ତିର ଉତ୍ତର ରଖିଛନ୍ତି ମୁଖ୍ୟ ଶାସନ ସଚିବ।
ଗ୍ରାହକଙ୍କଠାରୁ ଯେପରି କୌଣସି ଅଧିକ ଦେୟ ଆଦାୟ କରାଯାଉନାହିଁ ସେନେଇ ଗ୍ରାହକଙ୍କ ମନରେ ଯେପରି କୌଣସି ଦ୍ୱନ୍ଦ୍ୱ ନ ରୁହେ ସେନେଇ ସୁନିଶ୍ଚିତ କରିବାକୁ ସେ ଟିପିସିଓଡିଏଲକୁ ନିର୍ଦ୍ଦେଶ ଦେଇଛନ୍ତି। ରଶ୍ମିରଞ୍ଜନ ସ୍ୱାଇଁ ନାମକ ଜଣେ ଗ୍ରାହକ ଟିପିସିଓଡିଏଲ ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଟାଟା ପାୱାର ସାଧାରଣ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ନାମରେ ଶୋଷଣ କରୁଥିବା ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ।