ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ପିଲାଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଅନେକ ସମୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଗଠନମୂଳକ ଶିକ୍ଷା ପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେଥିପାଇଁ ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଉଛି ।
ଶିକ୍ଷକଙ୍କ ପାଇଁ ଗଠନମୂଳକ ଶିକ୍ଷା କାର୍ୟ୍ୟପନ୍ଥା ଉପରେ ୪ ଦିନିଆ କର୍ମଶାଳାର ଆୟୋଜନ କରାଯିବ । ବିଜ୍ଞାନ ଓ ଗଣିତ ଶିକ୍ଷକ ତାଲିମ୍ ନେବେ । ଆନ୍ଧ୍ରପ୍ରଦେଶର ଅଗସ୍ତ୍ୟା କ୍ରିଏଟିଭ୍ ଲ୍ୟାବରେ ୨ଟି ପର୍ୟ୍ୟାୟରେ ଶିକ୍ଷକମାନେ ତାଲିମ୍ ନେବେ । ଶିକ୍ଷକଙ୍କ ପ୍ରାକ୍ଟିକାଲ ଜ୍ଞାନ ବୃଦ୍ଧିରେ ଏହି କର୍ମଶାଳା ସହାୟକ ହେବ । ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ୧୫ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାର (ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।
ଶିକ୍ଷକମାନେ ଉକ୍ତ ଲ୍ୟାବରେ ପାଠ୍ୟକ୍ରମର ବିଷୟବସ୍ତୁ ସମ୍ପର୍କୀତ ତାଲିମ୍ ନେବେ । ସେମାନେ ରାମାନୁଜ ମ୍ୟାଥ୍ ପାର୍କ, ବାଓଡିସକଭରି ସେଣ୍ଟର, ଝୁନଝୁନୱାଲା ବାୟୋଡିସକଭରି ସେଣ୍ଟର, ଆର୍ଟ ଓ ଇନୋଭେସନ ହବ, ଆଇଟଇ ସେଣ୍ଟର ଆଦି ପରିଦର୍ଶନ କରିବେ । ମଡ୍ୟୁଲାର ଡିଜାଇନ ଲ୍ୟାବ, ମଡ୍ୟୁଲାର ମେକିଂ ୱାର୍କଶପ, ରୋବୋଟିକ, ପିଆଇ ଲ୍ୟାବ ଆଦିରୁ ବିଭିନ୍ନ ପ୍ରାକ୍ଟିକାଲ ଜ୍ଞାନ ଶିଖିବେ । ତାହା କ୍ଲାସରୁମରେ ପିଲାଙ୍କୁ ପଢ଼ାଇବା ସମୟରେ ବେଶ୍ ସହାୟକ ହୋଇ ପାରିବ ଜୁନ ୪ରୁ ୭ ଓ ୧୧ରୁ ୧୪ ତାରିଖ ପର୍ୟ୍ୟନ୍ତ ଏହି ତାଲିମ୍ ଦିଆଯିବ । ଯେଉଁ ଶିକ୍ଷକମାନେ ୨୦୨୩-୨୪ ବର୍ଷରେ ତାଲିମ୍ ନେଇଛନ୍ତି ସେମାନଙ୍କୁ ଏଥିରେ ସାମିଲ କରାଯିବ ନାହିଁ ।