ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ଗଞ୍ଜାମ ଆଦି ଜିଲାରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ଅନୁଭୂତ ହୋଇଛି । ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ, ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ । ଯାହା ପରବର୍ତ୍ତୀ ସମୟରେ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ଯାଏଁ କମିବ। ସେପଟେ କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ । ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । କିନ୍ତୁ ୨୫ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଖବରଠୁ ବଡ଼ ଖବର ହେଉଛି ଗ୍ରୀଷ୍ମରୁ ତ୍ରାହି,ମିଳିବାର ନାହିଁ। କାରଣ ମେ’ରେ ଗରମରେ ଜଳିବାକୁ ଯାଉଛି ଓଡ଼ିଶା। ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ । ତେବେ ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।