ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଦାୟିତ୍ବ । ଗୁରୁବାର ରାତି ଅଧିଆ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କର ମଧ୍ୟ ପୁରୁଣା ଅଭିଜ୍ଞତା ରହିଛି ।ନିକଟରେ ବୀରବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ମିଳିଥିଲା । ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀ । ସେପଟେ ପାଣ୍ଡିଆନ ମାର୍କା ମରା ବରିଷ୍ଠ ଆଇଏସ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ ଛାଟ ବାଜିବା ଆରମ୍ଭ ହୋଇଥିବା ବେଳେ ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଯାଇଥିବା କୁହାଯାଉଛି ।