ଦିନକୁ ଦିନ ମାଣ୍ଡିଆର ଚାହିଦା ଆଗ ଅପେକ୍ଷା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥିଲେ ବି ଲୋକ ଏହାକୁ କିଣିବାରେ ଇଚ୍ଛୁକ ନଥିଲେ । ହେଲେ ଗତ କିଛିବର୍ଷ ମଧ୍ୟରେ ଏହାକୁ ଲୋକ ନିଜ ପସନ୍ଦର ଖାଦ୍ୟ ରୂପେ ବାଛିଛନ୍ତି । କେବଳ ଯେ ମାଣ୍ଡିଆକୁ ସାଧାରଣ ଭାବେ ବ୍ୟବହାର କରୁଛନ୍ତି ତାହା ନୁହଁ ବରଂ ଏଥିରେ ପ୍ରସ୍ତୁତ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟକୁ ମଧ୍ୟ ଆପଣାଇବାରେ ଲାଗିଛନ୍ତି । ଯାହା ସ୍ୱାଦରେ ଯେତେ ନିଆରା ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସେତେ ଉପକରିତା । ମାଣ୍ଡିଆର ଚାହିଦାକୁ ନଜରରେ ରଖି ବଜାରରେ ବିଭିନ୍ନ ପ୍ରକାର ସ୍ନାକ୍ସ ବିକ୍ରି ହେଲାଣି । ଯାହାକୁ ଲୋକେ ଖୋଜି ଖୋଜି କିଣୁଛନ୍ତି । ବିଶେଷକରି ମାଣ୍ଡିଆ ପାଉଡର, ବିସ୍କୁଟ୍, କେକ୍, ଚକୋଲେଟ୍, କୁକିସ୍, ଝୁରି, ମୁଡୁକି ଆଦି ବଜାରରେ ମିଳୁଛି । ସ୍ୱାସ୍ଥ୍ୟପ୍ରତି ହିତକର ହୋଇଥିବାରୁ ଘରର ପ୍ରତ୍ୟେକ ବର୍ଗର ଲୋକଙ୍କ ଚାହିଦାରେ ଏସବୁ ଖୋଜା ପଡୁଛି । ସେହିପରି ଏବେ ମାଣ୍ଡିଆରେ ଆହୁରି ମଧ୍ୟ ଖାଦ୍ୟ ବାଜାରେ ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳୁଛି । ପାତ୍ରପଡ଼ାର ଭଗବାନପୁର ଦେଇଗଲାବେଳେ ବାଟରେ ମାଣ୍ଡିଆରେ ପ୍ରସ୍ତୁତ ଇଡ୍ଲି ମଧ୍ୟ ଦେଖିବାକୁ ମିଳୁଛି । କଥାଟା ଅଡୁଆ ଲାଗୁଥିଲେ ବି ସତ । ଆଗରୁ ହୁଏତ ମାଣ୍ଡିଆରେ କେହି କେବେ ଇଡ୍ଲି ପ୍ରସ୍ତୁତ କରି ଖାଉନଥିବେ । କିନ୍ତୁ ଏହାର ଚାହିଦା ଆଶା ଅନୁଯାୟୀ ଅଧିକ ରହିଛି ବୋଲି ମାଣ୍ଡିଆ ଇଡ୍ଲି ତିଆରି କରି ବିକୁଥିବା ଲିଲି ପ୍ରଧାନ କହିଛନ୍ତି । ସେ ଆହୁରି କୁହନ୍ତି ମାତ୍ର ୩ ମାସ ହେବ ସେ ଏହି ଷ୍ଟଲ୍ଟି ଆରମ୍ଭ କରିଥିଲେ । ହେଲେ ମାଣ୍ଡିଆ ଇଡ୍ଲିକୁ ଧୀରେ ଧୀରେ ଲୋକ ଏତେ ପସନ୍ଦ କରିବେ ବୋଲି ଭାବି ନଥିଲେ । ସେ ମାଣ୍ଡିଆ ଇଡ୍ଲି ସହ ସମ୍ବର ଓ ଚଟଣୀ ଦେଉଛନ୍ତି । ଇଡ୍ଲିର ମୂଲ୍ୟ ୧୦ ଟଙ୍କା ରହିଛି । ସ୍ୱାଦରେ ଅନ୍ୟ ବିରି ଚାଉଳ ଇଡ୍ଲି ପରି ସମାନ ରହିଛି ଏବଂ ସ୍ୱାସ୍ଥ୍ୟ ପ୍ରତି ଲାଭ ଦାୟକ ମଧ୍ୟ । ବିଶେଷକରି ଖରାଦିନରେ ଏହା ପେଟ ଥଣ୍ଡା ରଖେ ବୋଲି ସେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କୁହନ୍ତି । ଏହା ଛଡ଼ା ତାଙ୍କୁ ସ୍ୱାବଲମ୍ବୀ କରିବାରେ ମଧ୍ୟ ମାଣ୍ଡିଆ ସାହାଯ୍ୟ କରୁଛି । ଲୋକପ୍ରିୟତା ବଢ଼ିବାରୁ ବିକ୍ରି ବି ଭଲ ହେଉଛି । ଦିନକୁ ପାଖାପାଖି ୧୦୦ ରୁ ୧୫୦ ଇଡ୍ଲି ବିକ୍ରି ହେଉଛି ବୋଲି ସେ କହିଛନ୍ତି ।