ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। ମହିଳାଙ୍କ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି କେରଳ ସରକାର ଆହ୍ବାନ ଦେଇଛନ୍ତି। କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। କିନ୍ତୁ ସରକାରୀ ରେକର୍ଡରେ ସେଭଳି କିଛି ତଥ୍ୟ ନଥିବାବେଳେ ଏଭଳି ଗୁଜବ କାହାଣୀ ଅଶାନ୍ତି ସୃଷ୍ଟି କରିବ ବୋଲି କେରଳ ସରକାର କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ଫିଲ୍ମକୁ ବିରୋଧ କରିବା ସହିତ, ଏହାକୁ ଜାଣିଶୁଣି କେରଳରେ ସାଂପ୍ରଦାୟିତ ସଦଭାବନା ଭାଙ୍ଗି ଘୃଣା ବିସ୍ତାର କରିବା ପାଇଁ ନିର୍ମାଣ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।
ଏହାକୁ ସେ ସଂଘ ପରିବାରର ପ୍ରୋପାଗାଣ୍ଡା ବୋଲି କହିଛନ୍ତି। କେରଳର ବିରୋଧୀ ଦଳ ନେତା ଭି.ଡି. ସତୀଶନ୍ ମଧ୍ୟ ଏହାକୁ ପ୍ରୋପାଗାଣ୍ଡା ବୋଲି କହିବା ସହିତ ସମାଜକୁ ଭାଗଭାଗ କରିବା ପାଇଁ ତିଆରି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ତେଣେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଟୁଇଟକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ତୁମ କେରଳ ଷ୍ଟୋରି ହୋଇଥାଇପାରେ କିନ୍ତୁ ଆମର କେରଳ ଷ୍ଟୋରି ନୁହେଁ ବୋଲି ସେ ପ୍ରଥମେ ଟୁଇଟ୍ କରିଥିବା ବେଳେ, ଆଉ ଏକ ଟୁଇଟରେ ଲେଖିଛନ୍ତି ଯେ, ମୁଁ ଏହି ଫିଲ୍ମର ବ୍ୟାନ୍ ପାଇଁ ଦାବି କରୁନାହିଁ । ତେବେ ଏହାକୁ ବିରୋଧ କରିବାର ସମସ୍ତ ଅଧିକାର କେରଳବାସୀଙ୍କର ଅଛି । ଏହି ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀକୁ ଟାର୍ଗେଟ୍ କରିଛି।
ଧୋକା, ଧର୍ମାନ୍ତରୀକରଣ ଏବଂ ତା ପରେ ଝିଅଙ୍କୁ ଆତଙ୍କୀ ସଂଗଠନ ISISକୁ ବିକ୍ରି କରିଦେବା ଭଳି ଉଦବେଗଜନକ ପ୍ରସଙ୍ଗ ସ୍ଥାନ ପାଇଛି ଫିଲ୍ମ ‘ଦି କେରଳ ଷ୍ଟୋରି’ରେ। କେମିତି ଶାଲିନୀ ନାମକ ଜଣେ ଯୁବତୀଙ୍କୁ ବ୍ରେନୱାଶ୍ କରି ଫାତିମାରେ ପରିଣତ କରାଯାଉଛି, ସେ କିପରି ତଥାକଥିତ ଲଭ୍ ଜିହାଦର ଶିକାର ହେଉଛନ୍ତି, ପରେ ସିରିଆର ଆତଙ୍କୀ ସଂଗଠନ ISISରେ ସାମିଲ ହେଉଛନ୍ତି, ଏବଂ ଶେଷରେ ସେଠାରୁ ଖସିଆସି ଆଫଗାନିସ୍ତାନ ଜେଲରେ ପହଞ୍ଚୁଛନ୍ତି, ତାହା ଦେଖିବାକୁ ମିଳିଛି ଫିଲ୍ମର ଟ୍ରେଲରରେ।ଅଦା ଶର୍ମା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ, ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ୍। ତେବେ ଆସନ୍ତା ୫ ତାରିଖରେ ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଯାଇଛି ‘ଦି କେରଳ ଷ୍ଟୋରି’ ।