ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡିଛି। ମଙ୍ଗଳବାର ସକାଳ ୮ରୁ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିଲାଣି।ରାଜ୍ୟରେ ତାତି କରୁଛି କଲବଲ । ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ବୃଦ୍ଧି ସମ୍ଭାବନା ରହିଛି । ୧୭ରୁ ୨୦ତାରିଖ ଭିତରେ କିଛି ଜିଲ୍ଲାରେ ତାତି ୪୩ରୁ ୪୫ଡିଗ୍ରୀ ପହଂଚିପାରେ । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟକିରଣର ତୀବ୍ରତା ବଢ଼ିବା ଯୋଗୁଁ ତାତି ବଢ଼ିବ । ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ସୋମବାର ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୪ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଏହା ତଳକୁ ଭୁବନେଶ୍ୱର, ଚାନ୍ଦବାଲି ଏବଂ ନୂଆପଡ଼ାରେ ତାପମାତ୍ରା ଦ୍ୱିତୀୟ ସର୍ବାଧିକ ୪୧.୨ ଡିଗ୍ରୀ ରହିଥିଲା। ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।