ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏ ନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଭାଇରାଲ ହେବା ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ପ୍ରତିକ୍ରିୟା ରଖିଛନ୍ତି । ଏବେ ସୁଦ୍ଧା ରାଜ୍ୟରୁ କେହି HMPV ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି ସେ ସବୁ ନେଗେଟିଭ ଆସିଛି । ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ । ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ । କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ । ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।
HMPV ସଂକ୍ରମଣ କୁ ନେଇ ରାଜ୍ୟ ସରକାର ସତର୍କ ଅଛନ୍ତି ଏଣୁ ସମୀକ୍ଷା ବୈଠକ ଡାକିଥିଲେ । ବୈଠକ ପରେ ସୂଚନା ଦିଆଯାଇଥିଲା ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହ୍ୟୁମାନ ମେଟାନ୍ୟୁମୋ ଭାଇରସକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି । ଓଡ଼ିଶାବାସୀ HMPV ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏଚଏମପିଭିର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ । କିନ୍ତୁ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଇଡିଏସ୍ ପି, ଏନସିଡିସି, IDSP – NCDC ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମସ୍ ଭୁବନେଶ୍ୱର, ଆର୍ ଏମ୍ ଆର୍ ସି ଭୁବନେଶ୍ୱର, ଆଇଏଲ୍ ଏସ୍ ଭୁବନେଶ୍ୱର HMPV ଉପରେ ନଜର ରଖିଛନ୍ତି ।