‘ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି। ରେଲ୍ ସେଫ୍ଟି କମିଶନର ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେମିତି ଘଟିଲା ଏମିତି ଭୟଙ୍କର ଦୁର୍ଘଟଣା, ସେସମ୍ପର୍କରେ ଜଣାପଡ଼ିଛି। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହାସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଛନ୍ତି’ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଶୁକ୍ରବାର ସନ୍ଧ୍ୟା ବେଳେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ଗ୍ରାମ ନିକଟରେ ଘଟିଥିବା ୩ଟି ରେଳ ଦୁର୍ଘଟଣାର କାରଣ ‘ଇଲେକ୍ଟ୍ରୋନିକ୍ ଇଣ୍ଟର୍ଲକିଙ୍ଗ୍’ରେ ପରିବର୍ତ୍ତନ ବୋଲି ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଆଜି ଦୁର୍ଘଟଣାସ୍ଥଳରେ ଚାଲିଥିବା ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ବେଳେ ସେ କହିଛନ୍ତି, ରେଳବାଇ ସୁରକ୍ଷା କମିସନର୍ ତଦନ୍ତ କରିଥିବା ଏହି ଘଟଣାର ରିପୋର୍ଟ ଆସିବ। କିନ୍ତୁ, ଆମେ ଦୁର୍ଘଟଣାର କାରଣ ଓ ଏଥି ନିମନ୍ତେ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିସାରିଛୁ। ‘ଇଲେକ୍ଟ୍ରୋନିକ୍ ଇଣ୍ଟର୍ଲକିଙ୍ଗ୍’ରେ ପରିବର୍ତ୍ତନ ଯୋଗୁଁ ରେଳ ଦୁର୍ଘଟଣା ଘଟିଛି। ଏବେ ଆମେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟରେ ଧ୍ୟାନ ନିବେଶ କରୁଛୁ।