ମାସ ଓ ତାରିଖ ବଦଳିବା ସହ ଭାରତରେ ଇତିହାସ ପାଲଟି ଯାଇଛି ବ୍ରିଟିଶ ଆଇନ । ଆଜିଠୁ ଦେଶରେ ଲାଗୁ ହୋଇଛି ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ଆଜି ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍, ହତାଶ କରିବନି ‘ତାରିଖ ପେ ତାରିଖ’ । ସବୁ ଫୌଜଦାରୀ ମାମଲାରେ ୩ ବର୍ଷ ଭିତରେ ମିଳିବ ତ୍ୱରିତ ନ୍ୟାୟ । ନୂଆ ଭାରତର ନୂଆ ଆଇନରେ ଦଣ୍ଡ ଅପେକ୍ଷା ନ୍ୟାୟକୁ ମିଳିବ ଗୁରୁତ୍ୱ । ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA)। ମଧ୍ୟରାତ୍ରରୁ ଏହି ୩ ନୂଆ ଫୌଜଦାରୀ ଆଇନ ଦେଶବ୍ୟାପୀ ଲାଗୁ ହେବା ପରେ, ରାତି ୧୨ଟା ୧୦ରେ ମଧ୍ୟପ୍ରଦେଶ ଗ୍ୱାଲିୟରର ହାଜିରା ଥାନାରେ ରୁଜୁ ହୋଇଛି ପ୍ରଥମ ମାମଲା । ଚୋରି ଅଭିଯୋଗ ପାଇଁ ଲାଗିଛି BNSର ଧାରା ୩୦୩ (୨)।ଦେଶରେ ଏହି ୩ଟି ନୂଆ ଅପରାଧିକ ଆଇନ ଲାଗୁ ହେବା ସହିତ ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତନ ଆସିଥିବା ଆଇନ ବିଶାରଦ ମାନେ ମତ ଦେଇଛନ୍ତି । ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧକୁ ରୋକିବାରେ ଏହି ୩ଟି ନୂଆ ଆଇନ ସହାୟକ ହେବା ନେଇ ଦେଶବାସୀ ଆଶା ରଖିଛନ୍ତି । ୨୦୨୩ ମସିହା ଡିସେମ୍ବର ୨୧ରେ ଏହି ୩ଟି ବିଲ୍ ସଂସଦରେ ଗୃହୀତ ହେବାପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା, ଯାହା ଆଜିଠୁ ଦେଶରେ ଲାଗୁ କରାଯାଇଛି ।