ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ଦୀପାବଳି ଅବସରରେ ମୁକ୍ତିଲାଭ କରିସାରିିଛି। ପୂର୍ବରୁ ଏହାର ପୋଷ୍ଟର, ଗୀତ ଏବଂ ଟ୍ରେଲର ସୋସିଆଲ ମିଡିଆରେ ଏକ ଆଲୋଡ଼ନ ସୃଷ୍ଟି କରିସାରିଥିବା ବେଳେ ଫିଲ୍ମଟି ପ୍ରଥମ ଦିନରେ କେତେ ଆୟ କରିବ ତାହା ଜାଣିବାର ଉତ୍ସୁକତା ସଭିଙ୍କ ଭିତରେ ରହିଥିଲା। ଅଗ୍ରୀମ ବା ଆଡ୍ଭାନ୍ସ ବୁକିଂ କ୍ଷେତ୍ରରେ ମଧ୍ୟ ‘ଟାଇଗର ୩’ ଆଲୋଚନାର ବିଷୟ ପାଲଟିଥିଲା।
ଏମଧ୍ୟରେ ‘ଟାଇଗର-୩’ ର ପ୍ରଥମ ଦିନର ଆୟ କେତେ ହେବ ତାହା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ପ୍ରଥମ ଦିନରେ ୪୦କୋଟି ଟଙ୍କା ସଂଗ୍ରହ କରିବ। କିନ୍ତୁ ଏହା ସତ୍ତ୍ୱେ ଫିଲ୍ମ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବାରେ ବିଫଳ ହେବ। କାରଣ ଉଭୟ ‘ଯବାନ୍’ ଏବଂ ‘ପଠାନ୍’ ରିଲିଜ୍ ଦିନ ‘ଟାଇଗର-୩’ ଠରୁ ଅଧିକ ଆୟ କରିଥିଲା।
ସୂଚନା ମୁତାବକ, ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଚଳିତ ବର୍ଷ ଜାନୁଆରି ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ରିଲିଜ ଦିନ ୫୭କୋଟି ଟଙ୍କା ଆୟ କରିଥିବା ବେଳେ ଘରୋଇ ବକ୍ସ ଅଫିସରେ ଚଳଚ୍ଚିତ୍ରର ମୋଟ ଆୟ ଥିଲା ୫୪୦.୫୧ କୋଟି ଟଙ୍କା।
‘ଯବାନ୍’ ବିଷୟରେ କହିବାକୁ ଗଲେ ଏହା ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ରିଲିଜ ଦିନ ୭୫କୋଟି ଟଙ୍କା ଆୟ କରିଥିଲା। ଘରୋଇ ବକ୍ସ ଅଫିସରେ ଚଳଚ୍ଚିତ୍ରର ମୋଟ ଆୟ ୬୪୦.୨୫ କୋଟି ଟଙ୍କା ଥିଲା।